ଏଇ ଭାରତରେ

ଗୋଟିଏ ସମୟରେ ପରିବାରର ଦୁଇ ସଦସ୍ୟଙ୍କ ସମେତ ଅନ୍ୟ ତିନିଜଣ ସମ୍ପର୍କୀୟଙ୍କର କ୍ୟାନ୍‌ସରରେ ମୃତ୍ୟୁ ହେବା ପରେ ଗୁଣବୀର ସିଂ ଜୈବିକ କୃଷି ଅଭିଯାନ ଆରମ୍ଭ କରିଛନ୍ତି। ଏମାନଙ୍କ ମୃତ୍ୟୁର କାରଣ ବିଷାକ୍ତ ଖାଦ୍ୟ ଯୋଗୁ ହେବା ସ୍ପଷ୍ଟ ହେବା ପରେ ଅନ୍ୟମାନଙ୍କର ଏହାଯୋଗୁ ଯେଭଳି ମୃତ୍ୟୁ ନ ଘଟେ ସେଥିପାଇଁ ସେ ୨୦୧୬ରେ ଏହି ଅଭିଯାନ ଆରମ୍ଭ କରି ଏବେ ସୁଦ୍ଧା ପଞ୍ଜାବରେ ୨୦,୦୦୦ କୃଷକଙ୍କୁ ସାମିଲ କରିସାରିଲେଣି। ତାଙ୍କ ପିତାଙ୍କ ନାମରେ ‘ଦିଲବୀର ଫାଉଣ୍ଡେଶନ’ ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ ଜାରି ରଖିଛନ୍ତି। କେବଳ କୃଷକ ନୁହନ୍ତି, ବହୁ ସ୍କୁଲ, କଲେଜରେ ଜୈବିକ ଚାଷ ଆରମ୍ଭ କରି ଛାତ୍ରମାନଙ୍କୁ ନେଇ ଜୈବିକ ଖାଦ୍ୟ ଅଭିଯାନ ମଧ୍ୟ ଚଳାଇଛନ୍ତି। ଗୁଣବୀର ମଧ୍ୟ ଲୋକମାନଙ୍କୁ ଅଗଣାରେ ଜୈବିକ ଚାଷ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ରାସାୟନିକ ସାର ଓ କୀଟନାଶକର ପ୍ରଭାବ ଉପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆୟୋଜନ କରୁଛନ୍ତି ସଚେତନତା ଶିବିର । ସେ ଅମୃତସର, ଲୁଧିଆନା ଓ ଚଣ୍ଡିଗଡ଼ରେ ଆର୍ଥ ଷ୍ଟୋର ଆରମ୍ଭ କରି ସେଠାରେ ସମସ୍ତ ପ୍ରକାର ଜୈବିକ ବିହନ ଗଚ୍ଛିତ କରି ରଖୁଛନ୍ତି। ସେ ହିମାଚଳ ପ୍ରଦେଶ, କେରଳ, ରାଜସ୍ଥାନ ଏବଂ ଦେଶର ଅନ୍ୟ ଭାଗରୁ ଏହା ସଂଗ୍ରହ କରି ପଞ୍ଜାବର ଚାଷୀମାନଙ୍କୁ ସୁବିଧା ଓ ଶସ୍ତାରେ ଯୋଗାଇ ଦେଉଛନ୍ତି।