ଏଇ ଭାରତରେ

ଜୀବନ ଧଳା କି କଳା ନୁହେଁ, ଭଲ କି ମନ୍ଦ ବି ନୁହେଁ, ଏହା କେବଳ ତୁମ ପସନ୍ଦ ଓ ତୁମ କାର୍ଯ୍ୟର ସମଷ୍ଟି । ତୁମେ ଯେମିତି ଚାହିଁବ ସେମିତି ବଞ୍ଚିବ ଓ କାମ ବି କରିପାରିବ, ଯାହା କରୁଛନ୍ତି କୋଲକାତାର ଡ. ଶ୍ୟାମଲ ଚାଟ୍ଟାର୍ଜୀ। ତାଙ୍କୁ ଏବେ ବୟସ ୮୩। ସେ ୫ ଟଙ୍କା ଦେୟ ନେଇ ଚିକିତ୍ସା କରନ୍ତି। ୧୯୬୪ରେ ସେ କଲିକତା ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରୁ ଏମ୍‌ବିବିଏସ୍‌ ପାସ୍‌ ପରେ ମ୍ୟୁନିସିପାଲ କର୍ପୋରେଶନ ହସ୍ପିଟାଲରେ ଚାକିରିରେ ଯୋଗ ଦେଇଥିଲେ। ସେ ଘରେ ସକାଳ ୮ଟାରେ ରୋଗୀ ଦେଖନ୍ତି ଓ ୧୦ଟାରେ ହସ୍ପିଟାଲକୁ ଯାଆନ୍ତି । ସେଠାରୁ ଫେରିବା ପରେ ପୁଣି ସନ୍ଧ୍ୟା ୫ଟାରେ ରୋଗୀଙ୍କ ପାଇଁ ସମୟ ଦେଇଥାନ୍ତି। ୩୪ ବର୍ଷ ଚାକିରି କରି ୧୯୯୮ରେ ଅବସର ନେବା ପରେ ବି ୨୦୧୮ ପର୍ଯ୍ୟନ୍ତ ସେ ଏଭଳି ରୋଗୀ ଚିକିତ୍ସା କରିଆସୁଥିଲେ। ଦରକାର ପଡିଲେ ସେ ଚାଲି ଚାଲି କିମ୍ବା ସାଇକେଲରେ ରୋଗୀଙ୍କ ଘରକୁ ବି ଯାଇଥାନ୍ତି। ବୟସାଧିକ୍ୟ ହେତୁ ଏବେ ରୋଗୀ ଦେଖିବା କମ୍‌ କରିଦେଇଛନ୍ତି । ତାଙ୍କ ପାଖକୁ କାରଖାନା ଶ୍ରମିକ, ଦିନ ମଜୁରିଆ, ପ୍ରବାସୀ ଶ୍ରମିକମାନେ ହିଁ ଆସିଥାନ୍ତି। ୫୦ ବର୍ଷ ଧରି ସେ ଗରିବମାନଙ୍କୁ ୫ ଟଙ୍କାରେ ଚିକିତ୍ସା କରିଥିବାରୁ ଲୋକଙ୍କ ନିକଟରେ ସେ ‘କୋଲକାତାର ୫ ଟଙ୍କିଆ ଡାକ୍ତର’ ଭାବେ ଜଣାଶୁଣା।