ଏଇ ଭାରତରେ

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବାତ୍ୟା ସମୟରେ ବିଭିନ୍ନ ସୂଚନା ଜାରି କଲେ ମଧ୍ୟ ଅନେକ ସମୟରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିବା ଲକ୍ଷ୍ୟ କରାଯାଏ। ଇଂଲିଶ, ହିନ୍ଦୀ କିମ୍ବା ଆଞ୍ଚଳିକ ଭାଷାରେ ଏହାକୁ ପ୍ରସାରଣ କରାଯାଉଥିବା ବେଳେ ବହୁ ମତ୍ସ୍ୟଜୀବୀ ଟେକ୍‌ନିକାଲ୍‌ ଟର୍ମ ବୁଝିବାକୁ ସକ୍ଷମ ହୁଅନ୍ତି ନାହିଁ। ଏହି ସମସ୍ୟା ଦୂର କରିବାକୁ କେରଳର ଥ୍ରିଶୂର୍‌ରେ ୫ ଜଣ ଗବେଷକ ଆରମ୍ଭ କରିଛନ୍ତି ଏକ କମ୍ୟୁନିଟି ରେଡିଓ ‘ରେଡିଓ ମନ୍‌ସୁନ’। ସେମାନେ ପରିସ୍ଥିତିକୁ ଭଲଭାବେ ବୁଝିପାରିବା ଲାଗି ସ୍ଥାନୀୟ ଭାଷାରେ ପ୍ରତିଦିନ ପାଣିପାଗ ସମ୍ପର୍କିତ ସୂଚନା ପ୍ରଦାନ କରୁଛନ୍ତି। ନିୟମିତ ଜଳବାୟୁ ସମ୍ପର୍କିତ ତଥ୍ୟ ପ୍ରଦାନ କରୁଥିବା ଦେଶର ବିଭିନ୍ନ ସଂସ୍ଥାର ସୂଚନା ଆଧାରରେ ସେମାନେ ଏହାକୁ ଚଳାଉଛନ୍ତି। ମତ୍ସ୍ୟଜୀବୀଙ୍କ ପ୍ରତିକ୍ରିୟା ମଧ୍ୟ ସମୁଦ୍ରରୁ ସଂଗ୍ରହ କରି ସେମାନଙ୍କ ଅଭାବ ଅସୁବିଧା ପୂରଣ କରୁଛନ୍ତି। ରେଡିଓ କମ୍ୟୁନିଟ୍‌ ଚଳାଉଥିବା ୫ ଜଣ ଗବେଷକ ହେଲେ ମ୍ୟାକ୍ମିମିଲନ ମାର୍ଟିନ, ଏ. ଗୋମେଜ, ସଜନ, ସିନ୍ଧୁ ଏମ୍‌. ନେପୋଲିୟନ୍‌ ଏବଂ କେ. କ୍ଲିମେଣ୍ଟ। ଏହି ରେଡିଓ ଷ୍ଟେଶନ କରୁମ୍‌କୁଲମ ଗାଁରେ ପ୍ରତିଷ୍ଠା କରାଯାଇଛି। ସେମାନେ ସୂଚନା ମୋବାଇଲ ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ଟୁଇଟର ମାଧ୍ୟମରେ ପ୍ରଦାନ କରୁଛନ୍ତି। ଏସବୁ ସୋସିଆଲ ମିଡିଆ ହ୍ୟାଣ୍ଡେଲ କରିବା ଲାଗି ମତ୍ସ୍ୟଜୀବୀଙ୍କୁ ପ୍ରଶିକ୍ଷଣ ବି ଦେଇଛନ୍ତି। ପ୍ରତିଦିନ ଉପକୂଳ ଅଞ୍ଚଳ ଗାଁଗୁଡ଼ିକରେ ରେଡିଓ ମନ୍‌ସୁନ୍‌ର ସଦସ୍ୟ ଓ ସ୍ବେଚ୍ଛାସେବୀ ମାଇକ୍‌ରେ ପ୍ରଚାର କରୁଛନ୍ତି। କେବଳ ବାତ୍ୟା ସମୟରେ ନୁହେଁ ବର୍ଷର ସବୁ ସମୟରେ ପ୍ରତିଦିନର ପାଣିପାଗ ବିବରଣୀ ପ୍ରଦାନ କରୁଛନ୍ତି ଏମାନେ। ଏଭଳି ଅଭିଯାନ ମାଧ୍ୟମରେ ଏବେସୁଦ୍ଧା ୧,୦୦୦ ମତ୍ସ୍ୟଜୀବୀଙ୍କ ଜୀବନ ବଞ୍ଚାଇ ସାରିଲେଣି। ସମୁଦ୍ରକୁ ମାଛ ମାରିବାକୁ ଯିବା ସମୟରେ ଅର୍ଥାତ୍‌ ଦିନ ୧ଟାରୁ ୨ଟା ମଧ୍ୟରେ ପ୍ରଥମେ ସେମାନଙ୍କୁ ସୂଚନା ଦିଆଯାଏ। ପରେ ପ୍ରତିଦିନ ସମୁଦ୍ରରୁ ମତ୍ସ୍ୟଜୀବୀଙ୍କୁ ରେଡିଓ ମନସୁନ୍‌ ପାଖାପାଖି ୪୦୦ କଲ୍‌ କରେ। ବାତ୍ୟା ସମୟରେ ଏହା ବଢ଼ିଯାଏ। ଏହି ରେଡିଓର ସୀମା ୧୦ରୁ ୧୨ କିମି। ତେବେ ସମୁଦ୍ରରେ ସିଗ୍‌ନାଲ୍‌ ୭୦ କିମି ଯାଏ ପହଞ୍ଚି ପାରୁଛି। ବନ୍ୟା ସମୟରେ ବି ଏହା ଲୋକଙ୍କୁ ସୂଚନା ପ୍ରଦାନ କରୁଛି।