ଏଇ ଭାରତରେ

ଚାକିରିରୁ ଅବସର ନେବା ପରେ ସମୟର କିଭଳି ସଦୁପଯୋଗ କରାଯାଏ ସେ କ୍ଷେତ୍ରରେ ଜଣେ ସେନା ଅଧିକାରୀଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ଏହି ଅଧିକାରୀ ଜଣକ ହେଉଛନ୍ତି କଲୋନେଲ୍‌ ସୁବାସ ଦେଶ୍‌ଓ୍ବାଲ। ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲା ସିକନ୍ଦରାବାଦ ଗାଁରେ ତାଙ୍କ ଘର। ଦୀର୍ଘ ୨୧ ବର୍ଷ ଭାରତୀୟ ସେନାରେ ଚାକିରି କରି ଅବସର ନେବା ପରେ ନିଜ ଗାଁରେ ଇଂଲିଶ ଗାଜର ଚାଷ କରୁଛନ୍ତି। ଏହି ଗାଜର ଉତ୍ପାଦନରେ ସେ ଏବେ ଦେଶରେ ସବୁଠୁ ଆଗରେ। ସେଥିପାଇଁ କଲୋନେଲ୍‌ ଦେଶ୍‌ଓ୍ବାଲ କ୍ୟାରୋଟ କିଙ୍ଗ୍‌ ବା ଗାଜର ରାଜା ଭାବେ ଜଣାଶୁଣା। ଚାଷରେ ସାମିଲ ହୋଇଛନ୍ତି ତାଙ୍କ ସାଙ୍ଗ ଲାଲକୃଷ୍ଣ ଯାଦବ। ଏମାନଙ୍କ ପାଖରେ ପ୍ରଥମେ ଜମି ନ ଥିଲା। ସିକନ୍ଦରାବାଦର ଜଣେ କୃଷକଙ୍କଠାରୁ ୨ ଏକର ଜମି ଲିଜ୍‌ରେ ଆଣି ବିଭିନ୍ନ ପ୍ରକାର ଚାଷ ଆରମ୍ଭ କରିଥିଲେ। ପରେ ୨୦୦୬ରେ ସେ ସନ୍‌ସାଇନ ଭେଜିଟେବଲ ପ୍ରାଇଭେଟ ଲିମିଟେଡ୍‌ ପ୍ରତିଷ୍ଠା କରି କେବଳ ଇଂଲିଶ ଗାଜର ଚାଷ ଆରମ୍ଭ କରି ସେମାନଙ୍କ ସହ ସ୍ଥାନୀୟ ଚାଷୀମାନଙ୍କୁ ସାମିଲ କରିଛନ୍ତି। ଦେଶ୍‌ଓ୍ବାଲ ତାଙ୍କ କମ୍ପାନୀ ସହ ୧୦୦ ଜଣ କୃଷକଙ୍କୁ ସାମିଲ କରିବା ସହ ୯୦୦ ଶ୍ରମିକଙ୍କୁ ଚାଷ କାର୍ଯ୍ୟରେ ଲଗାଇଛନ୍ତି। ଜମି ଅନୁସାରେ କୃଷକମାନଙ୍କୁ ଲାଭାଂଶ ପ୍ରଦାନ କରୁଛନ୍ତି। ପ୍ରତିବର୍ଷ ୨୦,୦୦୦ ମେଟ୍ରିକ ଟନ୍‌ ଗାଜର ଉପତ୍ାଦନ କରି ଦେଶର ବିଭିନ୍ନ ସ୍ଥାନକୁ ପଠାଉଛନ୍ତି। ଉତ୍ପାଦନ ସମୟରେ ସେଥିରୁ ସେମାନେ ଅଧା ବିକ୍ରି କରି ଆଉ ଅଧା ଗଚ୍ଛିତ କରି ରଖୁଛନ୍ତି। ବର୍ଷର ବିଭିନ୍ନ ସମୟରେ ଚାହିଦା ଦେଖି ବଜାରକୁ ପଠାନ୍ତି। ସିକନ୍ଦରାବାଦ ଗାଁର ଚାଷକୁ ଦେଖି ବୁଲନ୍ଦସହର ଜିଲାର ୫୦୦ କୃଷକ ଇଂଲିଶ ଗାଜର ଚାଷ ଆରମ୍ଭ କରିଛନ୍ତି।