ମୃତ୍ୟୁ ଧମକକୁ ଖାତିର ନ କରି ସୁମିତା ବାନାର୍ଜୀ କୋଲକାତାର ରବୀନ୍ଦ୍ର ସରୋବର ସୁରକ୍ଷା ଲାଗି ଯେଉଁଭଳି ସଂଗ୍ରାମ କରୁଛନ୍ତି ତାହା ବାସ୍ତବିକ ପ୍ରେରଣାଦାୟୀ। ପଶ୍ଚିମବଙ୍ଗ ଦୁର୍ଗାପୁର ନିବାସୀ ସୁମିତା ୧୯୯୦ରେ କୋଲକାତା ଆସି କଳାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ସେଠାରେ ଏକ ସ୍କୁଲରେ ଶିକ୍ଷକ ରହିଥିଲେ। ପରେ ଚାକିରି ଛାଡ଼ି ସେ ରବୀନ୍ଦ୍ର ସରୋବର ସୁରକ୍ଷାରେ ଲାଗି ଯାଇଥିଲେ। ସୁମିତ୍ରା ସକାଳେ ଚାଲିବା ସମୟରେ ଲୋକଙ୍କ ଦସ୍ତଖତ ସଂଗ୍ରହ କରି ଏହାର ସୁରକ୍ଷା ଲାଗି ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ସଫଳତା ପାଇବା ପରେ ତାଙ୍କ କାର୍ଯ୍ୟ ଆରମ୍ଭ କରିଥିତ୍ଲେ। ସେ ଲୋକଙ୍କଠାରୁ ପାଣ୍ଠି ଯୋଗାଡ଼ କରି ୧୯୨ ଏକର ବିଶିଷ୍ଟ ହ୍ରଦର ସୁରକ୍ଷା କରିପାରିଛନ୍ତି। ପ୍ରଶାସନ ମଧ୍ୟ ତାଙ୍କୁ ସହଯୋଗ ଜାରି ରଖିଛି। ଏକୁଟିଆ ଏହି କାର୍ଯ୍ୟ ସମ୍ପାଦନ କରୁଥିବାରୁ ଜବରଦଖଲକାରୀମାନେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ତେବେ ସେ ସବୁକୁ ଖାତିର ନ କରି ସୁମିତ୍ରା ପ୍ରତିଦିନ ଘରଠାରୁ ୨ କି.ମି. ଚାଲି ଚାଲି ଯାଇ ସକାଳ ସାଢ଼େ ୭ଟା ସୁଦ୍ଧା ହ୍ରଦ ନିକଟରେ ପହଞ୍ଚିଯାଆନ୍ତି। ଦିନସାରା ହ୍ରଦ ନିକଟରେ ରହି ଲୋକଙ୍କୁ ଅଳିଆ ପକାଇବାକୁ ବାରଣ କରନ୍ତି। ଏହାସହ ଏହାର ସ୍ବଚ୍ଛତା ଓ ପରିଚାଳନାରେ ସରକାରୀ ସଫେଇ କର୍ମଚାରୀଙ୍କୁ ସହଯୋଗ କରିଥାଆନ୍ତି। ଅପରାହ୍ନ ୩ଟାରେ ଘରକୁ ଫେରନ୍ତି। ଦିନେ ଦିନେ ଫେରିବାକୁ ସନ୍ଧ୍ୟା ହୋଇଯାଏ। କେବଳ ଏତିକି ନୁହେଁ ତାଙ୍କ ତତ୍ତ୍ୱାବଧାନରେ ରବୀନ୍ଦ୍ର ସରୋବର ଚତୁଃପାର୍ଶ୍ୱରେ ବୃକ୍ଷ ରୋପଣ କରାଯିବା ସହ ଜୈବବିବିଧତା ବୃଦ୍ଧି କରାଯାଉଛି।