ଏଇ ଭାରତରେ

ସରକାରୀ ହେଉ କି ବେସରକାରୀ, ସବୁଠି ବିଭିନ୍ନ ପ୍ରକାର ଅଭିଯାନ ଆରମ୍ଭ କରାଯାଉଛି। କିନ୍ତୁ ‘ରାସ୍ତା ଖୋଲା’ ଅଭିଯାନ ନାଁ କେବେ ଶୁଣିଛନ୍ତି କି। ଏଭଳି ଅଭିଯାନ ଆରମ୍ଭ ହୋଇଛି ରାଜସ୍ଥାନର ନାଗୌର ଜିଲାରେ। ନାଗୌର ଜିଲାପାଳ କୁମାର ସୋନି ଏହା ଚଳାଇ ଗ୍ରାମାଞ୍ଚଳ ଲୋକଙ୍କୁ ଗମନାଗମନ ସୁବିଧା ଯୋଗାଇ ଦେଉଛନ୍ତି। ଜବରଦଖଲରେ ଥିବା ଗ୍ରାମ୍ୟରାସ୍ତା ଖୋଲି ସେହି ଗାଁର କୃତିତ୍ୱ ଅର୍ଜନ କରିଥିବା ମହିଳା ବା ଝିଅଙ୍କ ନାମରେ ନାମିତ କରୁଛନ୍ତି। ଏବେ ସୁଦ୍ଧା ସେ ୩୮ଟି ରାସ୍ତା ଖୋଲି ସାରିଲେଣି। ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ସ୍ଥାନୀୟ ପୋଲିସ ଅଧିକାରୀ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ରାସ୍ତା ଖୋଲା ହେବା ପରେ ସେଠାରେ ଏକ ପଥର ପୋତି ତିଆଯାଉଛି ଓ ସେଥିରେ ରାସ୍ତାର ସବୁ ବିବରଣୀ ଉଲ୍ଲେଖ ରହୁଛି। ଏହାକୁ ‘ବିଦ୍ୟା ଗୌରବ ପଟିକା’ କୁହାଯାଉଛି। କେବଳ ଶିକ୍ଷା ଓ ଖେଳରେ କୃତିତ୍ୱ ଲାଭ କରିଥିବା ମହିଳା କିମ୍ବା ଝିଅଙ୍କ ନାମ ଏହି ପଥରରେ ଲେଖାଯାଉଛି। ଏହି ପଥରରେ ଜିପିଏସ୍‌ ଟ୍ରାକିଂ ସିଷ୍ଟମ ରହୁଛି। ରାସ୍ତାକୁ ଭଙ୍ଗାଭଙ୍ଗି କଲେ ତାହା ସ୍ଥାନୀୟ ଥାନାକୁ ସୂଚନା ଦେଇପାରୁଛି। ଗାଁରେ ମହିଳା ଓ ଝିଅଙ୍କ ନାମରେ ରାସ୍ତା ନାମିତ କରାଗଲେ ସେହି ଗାଁର ଲୋକମାନେ ରାସ୍ତାର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବେ ବୋଲି କହନ୍ତି ଜିଲାପାଳ କୁମାର ସୋନି।