ଏଇ ଭାରତରେ

ଶିକ୍ଷା ମଣିଷକୁ ମାନ୍ୟତା ଦିଏ ଓ ବ୍ୟକ୍ତିତ୍ୱ ନିର୍ମାଣ କରିବାରେ ସାହାଯ୍ୟ କରେ। ଏଥିପାଇଁ ବହୁ ବ୍ୟକ୍ତି ଶିକ୍ଷା ଉପରେ ଗୁରୁତ୍ୱ ଦିଅନ୍ତି ଓ ଅସହାୟ ପିଲାମାନଙ୍କୁ ଶିକ୍ଷାର ଧାରାରେ ଆଣିବା ଲାଗି ସାରା ଜୀବନ ସମର୍ପିତ ରହିଥାନ୍ତି। କେବଳ ଜଣେ ବ୍ୟକ୍ତି ନୁହନ୍ତି ,ମଧ୍ୟପ୍ରଦେଶର ଗୋଟିଏ ପରିବାର ତିନି ପିଢି ଧରି ମାଗଣାରେ ଗରିବ ପିଲାମାନଙ୍କୁ ଶିକ୍ଷାଦାନ କରିଆସୁଛନ୍ତିି। ହୋସାଙ୍ଗାବାଦ ଜିଲା ମୁଖ୍ୟାଳୟଠାରୁ ୭ କି.ମି. ଦୂର ନିମସାଣ୍ଡିିଆ ଗ୍ରାମରେ ଥିବା ଏକ ସ୍କୁଲରେ ଗରିବ ପିଲାମାନଙ୍କୁ ବିନା ଦେୟରେ ଏହି ପରିବାର ଶିକ୍ଷାଦାନ କରିଆସୁଛନ୍ତିି। ଏହି ସ୍କୁଲକୁ ସେଠ ଘାସିରାମ ଶର୍ମା ଆରମ୍ଭ କରିଥିଲେ। ତାଙ୍କ ଦେହାନ୍ତ ପରେ ତାଙ୍କ ପୁଅ ରାମଲାଲ ଶର୍ମା ଓ ରାମଲାଲଙ୍କ ପରେ ତାଙ୍କ ପିଲାମାନେ ଏହି ଦାୟିତ୍ୱ ନିର୍ବାହ କରୁୁଛନ୍ତି। ପରିଚାଳନା ବାବଦରେ ପ୍ରତିବର୍ଷ ୫୦ରୁ ୬୦ ହଜାର ଟଙ୍କା ଖର୍ଚ୍ଚ ହେଉଛି ଓ ଶର୍ମା ପରିବାର ଏହା ଯୋଗାଡ କରୁଛନ୍ତି ଓ ଆବଶ୍ୟକ ହେଲେ ତାଙ୍କ ସମ୍ପତ୍ତିିରୁ କିଛି କିଛି ବିକ୍ରି କରି ସେମାନେ ଏହି ସ୍କୁଲ ଚଳାଉଛନ୍ତି। ନିମସାଣ୍ଡିଆରେ ପଛୁଆ ବର୍ଗର ବହୁ ଗରିବ ପରିବାର ରହିଛନ୍ତି। ସ୍ବାଧୀନତା ପୂର୍ବରୁ ଗରିବମାନଙ୍କୁ ଶିକ୍ଷା ଦେଉଥିବା ଜିଲାର ଏହା ଏକମାତ୍ର ପ୍ରାଇଭେଟ ସ୍କୁଲ । ୨୦୧୭ ଯାଏ ଏହା ପ୍ରାଥମିକ ସ୍କୁଲ ହୋଇ ରହିଥିଲା। ୨୦୧୮ରେ ଏହାକୁ ମାଧ୍ୟମିକ ସ୍କୁଲ ମାନ୍ୟତା ମିଳିଥିଲା। ଏବେ ନର୍ସରିରୁ ୭ମ ଯାଏ ୧୭୧ ଜଣ ପିଲା ପଢୁଛନ୍ତିି। ପିଲାମାନଙ୍କୁ ପୋଷାକ ଓ ଖାତାବହି ମାଗଣାରେ ଦିଆଯାଉଛି।