ଏଇ ଭାରତରେ

ଲକ୍‌ଡାଉନ ସମୟରେ ଅନେକେ ଜିନିଷ ପ୍ରସ୍ତୁତ କରିବାରେ ଲାଗି ଯାଇଥିବା ବେଳେ କେରଳର ଅଜି ଆନନ୍ଦ କିନ୍ତୁ ବିୟର ବୋତଲ ଓ ମାଟିରେ ଘର ତିଆରି କରିବାରେ ବ୍ୟସ୍ତ ଥିଲେ। ଏବେ ସେହି ଘର ଶେଷ ହୋଇଛି। କେରଳର କୁନ୍ନୁର ନିବାସୀ ଅଜି ୧୦୦୦ ବର୍ଗଫୁଟ୍‌ ଜାଗାରେ କୌଣସି ଆର୍କିଟେକ୍ଟ କିମ୍ବା ମିସ୍ତ୍ରିଙ୍କ ସାହାଯ୍ୟ ନ ନେଇ ଏକାକୀ ଶ୍ରମ ଓ ସମୟ ଦେଇ ଏହି ଘର ଠିଆ କରିଛନ୍ତି। ଘରଟି ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ। ଏହା ନିର୍ମାଣ କରିବାକୁ ତାଙ୍କୁ ୫ ମାସ ଲାଗିଛି ଓ ଏଥିରେ ଖର୍ଚ୍ଚ କରିଛନ୍ତି ୬ ଲକ୍ଷ ଟଙ୍କା। ଉକ୍ତ ଘରେ ୨୫୦୦ ବିୟର ବୋତଲ ଓ ବହୁ ଜିନିଷ ରିସାଇକ୍ଲିଂ କରି ଉପଯୋଗ କରାଯାଇଛି। ବିୟର ବୋତଲ ସବୁ ତାଙ୍କ ସାଙ୍ଗ ଓ କବାଡିବାଲାଙ୍କ ଠାରୁ ସଂଗ୍ରହ କରିଛନ୍ତି। ବିୟର ବୋତଲ ସହ ବାଉଁଶ ଏବଂ ନଡ଼ିଆକତା ମଧ୍ୟ ବ୍ୟବହାର ହୋଇଛି । ପ୍ଲାଷ୍ଟିକ୍‌ ଅଖାରେ ମାଟି ଭର୍ତ୍ତି କରି ତାହାକୁ ଇଟା ଆକାର ଦେଇ କାନ୍ଥ ଗଢ଼ାହୋଇଛି। ମାଟି ଓ ଅଳ୍ପ ସିମେଣ୍ଟରେ ଏଗୁଡ଼ିକ ଯୋଡେଇ ହୋଇଛି। ଘର ଛାତରେ ବ୍ୟବହୃତ ଟେରାକୋଟା ଟାଇଲ୍‌ ସଂଗ୍ରହ କରି ଲଗାଯାଇଛି। ଏହି ଘରେ ଦୁଇ ବେଡରୁମ୍‌, ରୋଷେଇ ଘର, ବାଥ୍‌ରୁମ୍‌ ଓ ଡ୍ରଇଂ ରୁମ୍‌ ରହିଛି। ଅଜିଙ୍କ ବୟସ ୩୬। ତାଙ୍କର କପଡ଼ା ଦୋକାନ ଅଛି ଓ ତାଙ୍କ ସ୍ତ୍ରୀ ଏକ ଘରୋଇ କଲେଜର ଭାଇସ ପ୍ରିନ୍ସିପାଲ । ଅଜି ଏକ ନିଆରା ଘର ନିର୍ମାଣ କରିବାକୁ ସ୍ବପ୍ନ ଦେଖିଥିଲେ ଓ ଲକ୍‌ଡାଉନ ସମୟରେ ଏହା ସେ ପୂରଣ କରିବାରେ ସକ୍ଷମ ହୋଇପାରିଛନ୍ତି।