ଏଇ ଭାରତରେ

୩୦୦ ଟଙ୍କାର କବାଡିଆ ସାଇକେଲକୁ ଇ-ସାଇକେଲ କରି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ୧୮ ବର୍ଷୀୟ ନିଲ୍‌ ଶାହା। ଦ୍ୱାଦଶ ଶ୍ରେଣୀରେ ପଢ଼ନ୍ତି ନୀଲ ଓ ରହୁଛନ୍ତି ଗୁଜରାଟର ଭଦୋଦରାରେ। ଖାସ୍‌ କଥା ହେଉଛି, ସେ ଏହି ସାଇକେଲରେ ସୋଲାର ପ୍ୟାନେଲ ଲଗାଇ ତାହାକୁ ଇ-ସାଇକେଲ କରିଛନ୍ତି। ସାଇକେଲରେ ଲଗାଯାଇଥିବା ସୋଲାର୍‌ ପ୍ୟାନେଲରୁ ସଂଗୃହୀତ ଶକ୍ତି ଦ୍ୱାରା ବ୍ୟାଟେରି ଚାର୍ଜ ହେବା ପରେ ଏହା ଚାଲୁଛି। ଏହି ସାଇକେଲ ପରିବେଶ ପ୍ରଦୂଷଣ ରୋକିବାରେ ସହାୟକ ହୋଇପାରିବ ବୋଲି କହନ୍ତି ନୀଲ୍‌। ଇ-ସାଇକେଲକୁ ଚାର୍ଜ କରିବା ଲାଗି ବିଦ୍ୟୁତ୍‌ ଆବଶ୍ୟକ ହୁଏ, କିନ୍ତୁ ଏହି ସାଇକେଲ ସୌରଶକ୍ତିରେ ଚାଲୁଛି। ଏହାକୁ ନିର୍ମାଣ କରିବାରେ ନିଲ୍‌ ୧୨ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ସୂର୍ଯ୍ୟାଲୋକ ନ ଥିଲେ ଟାୟାରରେ ଲାଗିଥିବା ଡାଇନୋମାରେ ବ୍ୟାଟେରି ଚାର୍ଜ ହୋଇପାରୁଛି। ରାତିରେ ବ୍ୟାଟେରି ଚାର୍ଜ କରିବାରେ ଏହି ଡାଇନୋମା ସହାୟକ ହେଉଛି। ସ୍କୁଲରେ ପଢ଼ିବାବେଳେ ବର୍ଜ୍ୟ ଉପଯୋଗ କରି ଜିନିଷ ପ୍ରସ୍ତୁତ କରିବାରେ ସେ ଆଗୁଆ ଥିଲେ। ନୀଲ୍‌ ପ୍ଲାଷ୍ଟିକ ବୋତଲ, କାର୍ଡବୋର୍ଡ ଓ ଛୋଟ ମିଟର ଲଗାଇ ୧ ମିଟର ଉଡ଼ିପାରୁଥିବା ହେଲିକପ୍ଟର ନିର୍ମାଣ କରି ପୁରସ୍କୃତ ମଧ୍ୟ ହୋଇଥିଲେ। ଏହା ସହ ସେ ଟେଲିସ୍କୋପ୍‌,ଏଟିଏମ୍‌, ପ୍ରୋସେସଂ ପ୍ରିଣ୍ଟର ସହିତ ରୋବୋ ପ୍ରୋଜେକ୍ଟ ପ୍ରସ୍ତୁତ କରିଥିଲେ। ନୀଲ୍‌ ମାତ୍ର ୧ ମାସରେ ଉକ୍ତ ସୌର ଚାଳିତ ସାଇକେଲ ନିର୍ମାଣ କରିବା ଏକ ଆଶ୍ଚର୍ଯ୍ୟକର ଘଟଣା ବୋଲି କହନ୍ତି ତାଙ୍କୁ ମାର୍ଗଦର୍ଶନ କରିଥିତ୍ବା ପଦାର୍ଥବିଜ୍ଞାନୀ ଅଧ୍ୟାପକ ସନ୍ତୋଷ କୌଶିକ୍‌।