ଏଇ ଭାରତରେ

ସକଳ ଘଟରେ ନାରାୟଣ, ଏଭଳି ଭାବ ପ୍ରାଣୀ ସେବା କରିବା ଲାଗି ପ୍ରେରିତ କରିଛି ଚେନ୍ନାଇର ଶିରାନି ପେରିରାଙ୍କୁ। ୧୯୯୪ରେ ଚେନ୍ନାଇ ଚାପ୍ଟର ଅଫ୍‌ ପିପୁଲ ଫର୍‌ ଆନିମଲ (ପିଏଫ୍‌ଏ)ସଂସ୍ଥା ଗଠନ କରିଥିଲେ। ଏହା ମାଧ୍ୟମରେ ଜୀବମାନଙ୍କୁ ବିଦ୍ୟୁତ୍‌ ଆଘାତ ଦେଇ ମାରିଦିଆଯିବା ପ୍ର୍ରକ୍ରିୟାକୁ ସେ ୧୯୯୫ରେ ବନ୍ଦ କରିବାରେ ସକ୍ଷମ ହୋଇଥିଲେ। ପରେ ଲୋକମାନେ ଅସହାୟ ଅବସ୍ଥାରେ ରାସ୍ତାରେ ଛାଡ଼ି ଦେଉଥିବା ପ୍ରାଣୀମାନଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ରଖୁଛନ୍ତି। ୨୬ ବର୍ଷ ମଧ୍ୟରେ ହଜାର ହଜାର ରୋଗ କିମ୍ବା ଦୁର୍ଘଟଣା ପୀଡ଼ିତ ପ୍ରାଣୀଙ୍କୁ ନୂଆ ଜୀବନ ଦେବାରେ ସକ୍ଷମ ହୋଇପାରିଛନ୍ତି। ପେରିରା ଏକ ମଧ୍ୟବିତ୍ତ ପରିବାରରେ ବଢ଼ିଛନ୍ତି। ତାଙ୍କ ଘରେ ୧୭ଟି ବିଲେଇ ଥିଲେ। ଏମାନଙ୍କୁ ତାଙ୍କ ପିତା ଉଦ୍ଧାର କରି ରଖିଥିଲେ। ଏଣୁ ପିଲାବେଳୁ ସେ ଜୀବମାନଙ୍କୁ ଭଲ ପାଇବା ଓ ଯନତ୍ ନେବା ଶିଖିଥିଲେ। ସେହି ଶିକ୍ଷା ତାଙ୍କୁ ଜୀବଙ୍କ ଯନତ୍ ନେବା ଲାଗି ଆଗକୁ ବଢ଼ିବାରେ ସାହାଯ୍ୟ କରିଛି ବୋଲି କହନ୍ତି ପେରିରା। ୩.୮ ଏକର ପରିମିତ ଅଞ୍ଚଳରେ ପିଏଫ୍‌ଏ ଚାଲିଛି। ଶହ ଶହ କୁକୁର, ୧୨୦ ବିଲେଇ, ୪୦ ଛେଳି, ୧୮୫ ଗୋରୁ, ୧୬ଟି ଛୋଟ ଘୋଡ଼ା ଏବଂ ୧୧ଟି ବଡ଼ କିସମର ଘୋଡ଼ାକୁ ନେଇ ମୋଟରେ ୮୦୦ରୁ ଊର୍ଦ୍ଧ୍ୱ ପ୍ରାଣୀଙ୍କୁ ରଖିଛନ୍ତି। ଏ ବାବଦରେ ସମସ୍ତ ଖର୍ଚ୍ଚ ସେ ବହନ କରୁଛନ୍ତି।