ବିଶ୍ୱରେ ଏବେ ଇଲେକ୍ଟ୍ରୋନିକ ଓ୍ବେଷ୍ଟ (ଇ-ଓ୍ବେଷ୍ଟ) ସୁନାମି ଦେଖିବାକୁ ମିଳିଛି। ଏହା ପରିବେଶ ଓ ପ୍ରାଣୀଙ୍କ ପାଇଁ ସଙ୍କଟ ସୃଷ୍ଟି କରୁଛି। ଏଥିରୁ ମୁକୁଳିବା ଲାଗି ଦୁଇଭାଇ ରୋହନ ଏବଂ ନୀତିନ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେମାନେ ମେକାନିକାଲ ଏବଂ ହାଇଡ୍ରୋଇଲେକ୍ଟ୍ରିକାଲ ପଦ୍ଧତିରେ ଇ-ଓ୍ବେଷ୍ଟରୁ ସୁନା ଓ ରୁପା ସମେତ ବିଭିନ୍ନ ଧାତୁକୁ ଏକ ସ୍ଥାୟୀ ପରିବେଶ ଉପଯୋଗୀ ପଦ୍ଧତିରେ ଅଲଗା କରୁଛନ୍ତି। ସେମାନେ ୨୦୦୭ରେ ଉତ୍ତରାଖଣ୍ଡର ରୁର୍କିରେ ‘ଆଟେରୋ ରିସାଇକ୍ଲିଂ’ ଆରମ୍ଭ କରି ଏହି କାର୍ଯ୍ୟ କରୁଛନ୍ତି। ଟେଲିଭିଜନ ସେଟ୍, କମ୍ପ୍ୟୁଟର ମିଟର, ପ୍ରିଣ୍ଟର, ସ୍କାନର, କି’ବୋର୍ଡ, କେବୁଲ, ସର୍କିଟ ବୋର୍ଡ, ଲ୍ୟାମ୍ପ, କାଲ୍କୁଲେଟର, ଫୋନ୍, ଡିଭିଡି ଆଦି ଇ-ଓ୍ବେଷ୍ଟକୁ ରିସାଇକ୍ଲିଂ କରୁଛନ୍ତି। ନୀତିନ ଆଇଆଇଟି ଦିଲ୍ଲୀରୁ ବିଟେକ୍ ଡିଗ୍ରୀ ଓ ରୋହନ ଏନ୍ଆଇଟି ଜୟପୁରରୁ କେମିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ସେମାନେ ଇ-ଓ୍ବେଷ୍ଟରୁ ୯୮% ଧାତବ ଅଲଗା କରିପାରୁଛନ୍ତି। ଏହି ଧାତବ ମଧ୍ୟରେ ରହିଛି ସୁନା, ରୁପା, ଟିଣ, ସୀସା, ତମ୍ବା, ଆଲୁମିନିୟମ, ଲିଥିୟମ, କୋବାଲ୍ଟ, ମାଙ୍ଗାନିଜ, ନିକେଲ । ଏହାଦ୍ୱାରା ଲକ୍ଷ ଲକ୍ଷ ଟନ କାର୍ବନ ନିର୍ଗମନ ମଧ୍ୟ ରୋକାଯାଇପାରୁଛି। ଏବେ ବିଶ୍ୱରେ ମାତ୍ର ୨୦% ଇ-ଓ୍ବେଷ୍ଟ ରିସାଇକ୍ଲିଂ କରାଯାଉଛି ।
ଏଣୁ ଏହି ପଦ୍ଧତି କିମ୍ବା ଏହାଠାରୁ ଉନ୍ନତ ପଦ୍ଧତିର ଆବଶ୍ୟକତା ରହିଛି ବୋଲି କହନ୍ତି ନୀତିନ। ୨୦୨୧ ସୁଦ୍ଧା ଦୁଇ ଭାଇ ଭାରତର ବିଭିନ୍ନ ରାଜ୍ୟରେ ୬ଟି କମ୍ପାନୀ ସ୍ଥାପନ କରି ୩୦,୦୦୦ ଟନ୍ ଇ- ଓ୍ବେଷ୍ଟ ରିସାଇକ୍ଲିଂ କରିବାର ଯୋଜନା କରିଛନ୍ତି।