ଏଇ ଭାରତରେ

ଆଦିବାସୀ ଝିଅମାନଙ୍କୁ ଭଲ ଖେଳାଳି କରିବାର ପ୍ରତିବଦ୍ଧତା ଫୁଟବଲ ଖେଳାଳି ଆନନ୍ଦ କୁମାର ଗୋପେଙ୍କୁ ନୂଆ ପରିଚୟ ଦେଇଛି। ରାଞ୍ଚି ନିକଟସ୍ଥ କର୍ମା ଗାଁରେ ଆନନ୍ଦଙ୍କ ଜନ୍ମ। ଏହା ଏକ ଆଦିବାସୀବହୁଳ ଗାଁ। ପାରିବାରିକ କଟକଣା ଯୋଗୁ ଏହି ଗାଁରେ ଝିଅମାନେ କେବେ ବି ଖେଳୁ ନ ଥିଲେ । ତେବେ ମାତାପିତାଙ୍କୁ ବୁଝାଇବା ପରେ ୨୦୧୩ରେ ସେ ପ୍ରଥମେ ୧୫ ଜଣ ଝିଅଙ୍କୁ ଖେଳାଇବା ଆରମ୍ଭ କରିଥିଲେ। ସେବେଠାରୁ ଏଯାବତ ସେ ତାଙ୍କ ଗାଁର ୨୫୦ ଝିଅଙ୍କୁ ଫୁଟବଲ୍‌ ପ୍ରଶିକ୍ଷଣ ଦେଇସାରିଲେଣି। ଏମାନଙ୍କ ମଧ୍ୟରୁ ୬ ଜଣ ଝିଅ ୧୭ ବର୍ଷରୁ କମ୍‌ ବର୍ଗରେ ଜାତୀୟ ଦଳରେ ସାମିଲ ହେବା ସହ ୮ ଜଣ ଜାତୀୟ ଦଳରେ ଖେଳି ସାରିଛନ୍ତି। ଆନନ୍ଦ ରାଞ୍ଚି ଲିଗ୍‌ ଏବଂ ଜିଲା ସ୍ତରୀୟ ଫୁଟବଲ ଖେଳିବା ପରେ ପରିବାର ପ୍ରତିପୋଷଣ ଭାର ପଡ଼ିବାରୁ ଆଉ ଆଗକୁ ବଢିପାରିଲେ ନାହିଁ। ହେଲେ ଅନ୍ୟମାନଙ୍କ ଜୀବନରେ ଏଭଳି ନ ଘଟୁ, ସେଥିପାଇଁ ସେ ଉଦ୍ୟମ କରି ସଫଳତା ପାଇବାରେ ଲାଗିଛନ୍ତି। କର୍ମା ଗାଁରେ ପଢା ଛାଡ଼ିଥିବା କିମ୍ବା ଆଦୌ ସ୍କୁଲ ଯାଉ ନ ଥିବା ଝିଅଙ୍କୁ କମ୍‌ ବୟସରେ ବାହା କରିଦିଆଯାଇ ରାଜସ୍ଥାନ ଏବଂ ହରିୟାଣାକୁ ପଠାଇ ଦିଆଯାଉଥିଲା। ତେବେ ଆନନ୍ଦଙ୍କ ଉଦ୍ୟମ ଯୋଗୁ ଏହା ବନ୍ଦ ହେବା ସହ ପଢ଼ାରୁ ଦୂରେଇ ଯାଇଥିବା ଅନେକ ଝିଅଙ୍କୁ ପଢ଼ାଇବାରେ ସକ୍ଷମ ହୋଇଛନ୍ତି।