କୃଷିରେ ଆଧୁନିକ ଜ୍ଞାନକୌଶଳ ଯେତିକି ବିକଶିତ ହେବାରେ ଲାଗିଛି ଗ୍ରାମୀଣ କ୍ଷେତ୍ରରେ ଲୋକମାନେ ମଧ୍ୟ ସେମାନଙ୍କ ବ୍ୟବହାରିକ ଜ୍ଞାନ ଉପଯୋଗ କରି ଏ କ୍ଷେତ୍ରରେ ସଫଳତା ପାଇପାରୁଛନ୍ତି। ନିଜର ବୁଦ୍ଧି ଖଟାଇ ଜୈବିକ ଖତ, କୀଟନାଶକ ତଥା ହାତ ତିଆରି ଯନ୍ତ୍ର ମଧ୍ୟ ଆବିଷ୍କାର କରିପାରୁଛନ୍ତି। ଏମାନଙ୍କ ମଧ୍ୟରୁ କେରଳର କୃଷ୍ଣ ପ୍ରସାଦ ଅନ୍ୟତମ। ତାଙ୍କୁ ବର୍ତ୍ତମାନ ବୟସ ୪୫। ରହନ୍ତି ଆଲାଫୁଝା ଜିଲା କଳାଭୁର୍ ଗାଁରେ। ତାଙ୍କ ପରିବାର ପିଢି ପିଢି ଧରି ହାତୀ ରଖି ଆସିଛନ୍ତି। ସାଧାରଣତଃ ହାତୀ ମଳକୁ ପୋତି ଦିଆଯାଏ। କେହି କେବେ ବି ହାତୀ ମଳକୁ କ୍ଷେତରେ ଉପଯୋଗ କରି ନ ଥାନ୍ତି। କିନ୍ତୁ ପ୍ରସାଦ ଏଥିରୁ ଖତ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ହାତୀ ଖାଉଥିବା ଖାଦ୍ୟର ୪୦ ପ୍ରତିଶତ ହଜମ ହୁଏ ଓ ୬୦ ପ୍ରତିଶତ ତନ୍ତୁ ଆକାରରେ ମଳରେ ବାହାରିଥାଏ। ଏଣୁ ସେ ହାତୀ ମଳ ସହ କୃଷି ବର୍ଜ୍ୟ ମିଶାଇ ବିଘଟନ ପ୍ରକ୍ରିୟାରେ ଭଲ ଖତ ପାଇପାରୁଛନ୍ତି। ସେ ଏହି ଖତ ଉପଯୋଗ କରି ସପ୍ତାହକୁ ୫ କୁଇଣ୍ଟାଲ ପରିବା ଉପତ୍ାଦନ କରୁଛନ୍ତି। ଖତରେ ଫସଲ ଭଲ ବଢୁଛି ଓ ଅଧିକ ଫଳୁଛି। ତାଙ୍କର ଏଭଳି ନୂଆ ଚିନ୍ତାଧାରା କେରଳରେ ହାତୀ ରଖିଥିବା ଲୋକମାନଙ୍କୁ ତା’ ମଳ ଉପଯୋଗ କରି ଫସଲ କରିବା ଲାଗି ବାଟ ଦେଖାଇଛି। ପ୍ରସାଦ ପେସାରେ ଜଣେ ଓକିଲ। ସେ ୭ ଏକର ଜମିରେ ଫସଲ କରୁଛନ୍ତି। ୫ଟି ହାତୀ ରଖିଛନ୍ତି। ହାତୀର ଯତ୍ନ ଓ କୃଷି ଏକା ସାଙ୍ଗରେ କରିବା କଠିନ ହେଉଥିବାରୁ କିଛି ଲୋକଙ୍କୁ ବି ନିଯୁକ୍ତି ଦେଇଛନ୍ତି। କ୍ଷେତରେ ସିଞ୍ଚନ ଜଳସେଚନ ବ୍ୟବସ୍ଥା କରିଛନ୍ତି। କୃଷ୍ଣଙ୍କ ସ୍ତ୍ରୀ ଜଣେ ବ୍ୟାଙ୍କ ମ୍ୟାନେଜର। ଛୁଟିଦିନଗୁଡ଼ିକରେ ସେ କୃଷ୍ଣଙ୍କୁ କୃଷିକାର୍ଯ୍ୟରେ ସହାୟତା କରୁଛନ୍ତି।