ଏଇ ଭାରତରେ

ଦାରିଦ୍ର୍ୟର ସ୍ପଷ୍ଟ ଚିତ୍ର ଯେ କୌଣସି ଛକ ରାସ୍ତାରେ ଦେଖିବାକୁ ମିଳେ। ଛୋଟ ପିଲାମାନେ ଭିକ୍ଷା ବୃତ୍ତିରେ ନିୟୋଜିତ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଅନେକେ ସେମାନଙ୍କୁ ଭିକ୍ଷା ଦେଇ ଚାଲିଯାଉଥିବାବେଳେ ଗୁଜରାଟର ଏକ ଦମ୍ପତି କିଛି ଭିନ୍ନ ଚିନ୍ତା କରିଛନ୍ତି। ଜୟନ୍ତୀ ଏବଂ ଅରୁଣ ରାଜ୍ୟର ବିଭିନ୍ନ ସ୍ଥାନରୁ ଭିକ୍ଷାବୃତ୍ତି କରୁଥିବା ପିଲାମାନଙ୍କୁ ଉଦ୍ଧାର କରି ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବାରେ ଆପ୍ରାଣ ପ୍ରୟାସ ଜାରି ରଖିଛନ୍ତି। ସେମାନେ ଚାକିରିରୁ ଅବସର ନେବା ପରେ ନୁଗାର ଗାଁରେ ୧୫ ବର୍ଷ ଧରି ସେ ଏହି କାର୍ଯ୍ୟ କରିଆସୁଛନ୍ତି। ଗୁଜରାଟର ମେହେସାନ ଜିଲାର ଏକ ରାସ୍ତାରେ ଜଣେ ଶିଶୁ ତାଙ୍କୁ ଭିକ୍ଷା ମାଗୁଥିବା ଦେଖିବା ପରେ ଏହି ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ତାଙ୍କ ଶିକ୍ଷା ଧାରାରେ ୪୯୭ ପିଲା ସାମିଲ ହୋଇସାରିଛନ୍ତି ଓ ସେମାନଙ୍କ ମଧ୍ୟରୁ ୩୦ ପିଲା ଚାକିରି ପାଇଛନ୍ତି। ଅନେକେ ଛୋଟମୋଟ ବ୍ୟବସାୟ କରି ରୋଜଗାର କରୁଛନ୍ତି। ଅନୁଦାନ ଅର୍ଥରେ ସେମାନେ ଏହି ଅଭିଯାନ ଚଳାଇଛନ୍ତି ଓ ପିଲାମାନଙ୍କ ସକାଶେ ବର୍ଷକୁ ପାଖାପାଖି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କେବଳ ଏତିକି ନୁହେଁ, ସେମାନେ ନୁଗାର ଗାଁର ୧୫ କି.ମି. ପରିଧିରେ କାର୍‌ରେ ଯାଇ ଲୋକଙ୍କଠାରୁ ବଳକା ଖାଦ୍ୟ ସଂଗ୍ରହ କରି ୫୦୦ରୁ ୩,୦୦୦ ଭୋକିଲାଙ୍କୁ ଖାଦ୍ୟ ଯୋଗାଉଛନ୍ତି। ବାସନ ଧୋଇବାଠାରୁ ଆରମ୍ଭ କରି ପ୍ୟାକ୍‌ କରିବା ସହ ଗରିବ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି।