ଏଇ ଭାରତରେ

ଯୁଗ ବଦଳିବା ସହ ମହିଳାମାନଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ବଦଳୁଛି। ସେମାନେ ପୁରୁଷକୈନ୍ଦ୍ରିକ ବିପଜ୍ଜନକ କ୍ଷେତ୍ରରେ କାର୍ଯ୍ୟ କରି ପ୍ରମାଣ କରିଛନ୍ତି ‘ଆମେ କାହାଠାରୁ କମ୍‌ ନୋହୁଁ’। ଏମିତି ଜଣେ ମହିଳା ହେଉଛନ୍ତି ଆସାମର ପାର୍ବତୀ ବାରୁକ। ମାହୁନ୍ତ ହୋଇ ବହୁ ଭୟଙ୍କର ପରିସ୍ଥିତିରେ ଉନ୍ମତ୍ତ ହାତୀଙ୍କୁ କାବୁ କରୁଛନ୍ତି। ଜମିଦାର ପରିବାରରେ ଜନ୍ମ ହୋଇ ସୁଖ ଜୀବନ ଜିଇବା ବଦଳରେ ଖରା, ବର୍ଷା, ଶୀତରେ ଦିନରାତି ହାତୀଙ୍କୁ ଉଦ୍ଧାର କରିବାଠୁ ଆରମ୍ଭ କରି ସେମାନଙ୍କର ଚିକିତ୍ସା ସେବାରେ ସମୟ ଦେଇଆସୁଛନ୍ତି। ବହୁ ବିପଦପୂର୍ଣ୍ଣ ପରିସ୍ଥିତିରେ ଜଙ୍ଗଲରେ ହିଂସ୍ର ହାତୀଙ୍କୁ ମଧ୍ୟ ଆୟତ୍ତ କରିବାରେ ପ୍ରମୁଖ ଭୂମିକା ନେଉଛନ୍ତି। ଧ୍ରୁବ ଜିଲା ଗୌରୀପୁରରେ ରୁହନ୍ତି ପାର୍ବତୀ। ପିଲାବେଳୁ ତାଙ୍କ ବାପାଙ୍କ ସହ ହାତୀପିଠିରେ ବସି ବହୁ ଜାଗା ବୁଲିବା ଭିତରେ ଏଭଳି ସାହସିକ କାର୍ଯ୍ୟ କରିବାର ପ୍ରେରଣା ପାଇଥିଲେ। ପ୍ରଥମେ ତାଙ୍କ ବାପାଙ୍କ ସହ କଚୁଗାଁଓ ଜଙ୍ଗଲରେ ମାତ୍ର ୧୪ ବର୍ଷ ବୟସରେ ହାତୀ ଧରିବା ପରେ ସେବେଠୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଏବେ ତାଙ୍କ ପାଖରେ ଲକ୍ଷ୍ମୀମାଳା, ଅଲୋକା ଓ କାଞ୍ଚନମାଳା ନାମରେ ତିନୋଟି ମାଈ ହାତୀ ଅଛନ୍ତି। ଏମାନଙ୍କୁ ନେଇ ତାଙ୍କ ସହକର୍ମୀଙ୍କ ସହ ସେ ଜଟିଳ ପରିସ୍ଥିତିର ସାମ୍ନା କରି ବିହାର, ପଶ୍ଚିମବଙ୍ଗ, ଆସାମରୁ ବହୁ ଜଙ୍ଗଲିଆ ଅଞ୍ଚଳରେ ହିଂସ୍ର କିମ୍ବା ଆହତ ହାତୀଙ୍କୁ ଉଦ୍ଧାର କରୁଛନ୍ତି। ସେ ‘ଏଲିଫ୍ୟାଣ୍ଟ ମ୍ୟାନେଜମେଣ୍ଟ ପଲିସି’ ଅନୁସାରେ ହାତୀ ଦଳଙ୍କୁ ନିୟନ୍ତ୍ରଣ କରିବା, ଧରିବା ତଥା ସହରରୁ ତଡ଼ିବା ସହ ମାହୁନ୍ତମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।