ଏଇ ଭାରତରେ

ଟ୍ରାଫିକ୍‌ରେ ସାବୁନ ବିକ୍ରି କରୁଥିବା ଜଣେ ପିଲା ନିଷ୍ଠା ବଳରେ ଡାକ୍ତର ହୋଇ ଗ୍ରହଣଖଣ୍ଡିଆ ସମସ୍ୟା ଜଡ଼ିତ ପିଲାମାନଙ୍କର ମାଗଣାରେ ଅପରେଶନ କରୁଛନ୍ତି। ଏଭଳି ଅଭିଯାନ ଚଳାଉଥିବା ଡାକ୍ତର ହେଲେ ଡା. ସୁବୋଧ କୁମାର ସିଂ। ରହୁଛନ୍ତି ଉତ୍ତରପ୍ରଦେଶର ବାରାଣସୀରେ। ସେ ଏବେ ସୁଦ୍ଧା ୩୭,୦୦୦ ପିଲାଙ୍କ ଅପରେଶନ କରି ଗ୍ରହଣଖଣ୍ଡିଆ ସମସ୍ୟା ଦୂର କରିପାରିଛନ୍ତି। ଫଳରେ ୨୫୦୦ ପରିବାର ଉପକୃତ ହୋଇଛନ୍ତି। ସୁବୋଧଙ୍କୁ ୧୩ ବର୍ଷ ହୋଇଥିବା ବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯିବା ପରେ ତାଙ୍କ ପରିବାର ଚଳିବା କଷ୍ଟକର ହୋଇପଡ଼ିଥିଲା। ପରେ ତାଙ୍କ ବଡ଼ ଭାଇ ପରିବାର ଚଳାଇଥିଲେ । ହେଲେ ତାହା ପର୍ଯ୍ୟାପ୍ତ ନ ଥିଲା। ଏଣୁ ସୁବୋଧ ପଢ଼ିବା ସମୟରେ ସାବୁନ, କ୍ୟାଣ୍ଡେଲ ଆଦି ବିକ୍ରି କରି କିଛି ରୋଜଗାରେ କରୁଥିଲେ। ପରେ ମେଡିକାଲ ସାଇନ୍ସରେ ଡିଗ୍ରୀ ହାସଲ କରି ୧୯୯୯ରେ ଚାକିରିରେ ଯୋଗ ଦେଇଥିଲେ। ପରେ ୨୦୦୪ରେ ଜି.ଏସ୍‌. ମେମୋରିଆଲ ହସ୍ପିଟାଲ ନିର୍ମାଣ କରି ସେବେଠାରୁ ସେ ମାଗଣାରେ ମେଡିକାଲ କ୍ୟାମ୍ପମାନ ଆୟୋଜନ କରି ଗ୍ରହଣଖଣ୍ଡିଆ ପିଲାମାନଙ୍କ ଅପରେଶନ କରୁଛନ୍ତି।