ଏଇ ଭାରତରେ

ବ୍ୟସ୍ତବହୁଳ ଜୀବନରେ ନିଜ କାମ କି ପରିବାର କଥା ବୁଝିବାକୁ ସମୟ ମିଳୁ ନ ଥିବାବେଳେ ଫରିଦାବାଦର କିଛି ପରିବାର ଗଛ ଲଗାଇବାରେ ସେମାନଙ୍କ ବହୁ ମୂଲ୍ୟ ସମୟ କଟାଉଛନ୍ତି। ସେଭ୍‌ ଆରାବଳି ସଂସ୍ଥା ସହ ଜଡିତ ଏହି ସବୁ ପରିବାର ଗଛଗୁଡିକୁ ସେମାନଙ୍କ ପରିବାରର ସଦସ୍ୟ ଭାବେ ଗ୍ରହଣ କରିନେଇଛନ୍ତିି। ସେମାନେ ଚାନ୍ଦା ଆଦାୟ କରି ଗଛ ଲଗାଉଛନ୍ତି ଓ ବର୍ଷେ ଯାଏ ତା’ର ଜଗାରଖା କରୁଛନ୍ତି। ଏବେ ସାଢେ ୪ ଲକ୍ଷ ଟଙ୍କା ଆଦାୟ କରି ଟ୍ରାକ୍ଟର-ଟ୍ରଲି ଓ ପାଣି ଟ୍ୟାଙ୍କର କିଣିଛନ୍ତି। ଚାରା ନେବା ଆଣିବା କରିବା ଓ ତାକୁ ଲଗାଇ ପାଣି ଦେବା ପାଇଁ ଏସବୁ କିଣାଯାଇଛି। ପରିବାରଗୁଡ଼ିକର ଏଭଳି କାର୍ଯ୍ୟକୁ ହରିୟାଣା ଜଙ୍ଗଲମନ୍ତ୍ରୀ କଓ୍ବଁରପାଲ ଗୁର୍ଜର, ନିଗମର ଅଧ୍ୟକ୍ଷ ଡ.ୟଶ୍‌ ଗର୍ଗ ପ୍ରଶଂସା କରିବା ସହ ଲୋକମାନେ ସୃଷ୍ଟି କରିଥିବା ଜଙ୍ଗଲକୁ ଆସି ଗଛ ଲଗାଇଛନ୍ତି । ପରିବାର ସଦସ୍ୟମାନଙ୍କ ମଧ୍ୟରୁ ଯଦି କେହି ବାହାରେ ଚାକିରି କରିଥାନ୍ତି ତେବେ ସେମାନେ ଛୁଟିଦିନରେ ସହରରେ ବିକାଶ କରାଯାଉଥିବା ଜଙ୍ଗଲରେ ପହଞ୍ଚି ଶ୍ରମଦାନ କରୁଛନ୍ତି। ଏହି କାର୍ଯ୍ୟରେ ଯଦି ଅର୍ଥ ନିଅଣ୍ଟ ହୁଏ ସେମାନେ ନିଜ ଭିତରେ ଚାନ୍ଦା ଆଦାୟ କରି ତାହା ଭରଣା କରୁଛନ୍ତି। ସଂସ୍ଥାର ସଦସ୍ୟମାନେ ସାରା ଜିଲାରେ ୧୦ ହଜାର ଚାରା ରୋପଣ କରିସାରିଲେଣି । ମୁଖ୍ୟତଃ ବନ ବିଭାଗ, ନଗର ନିଗମର ଜମିରେ ଜଙ୍ଗଲ ବିକାଶ କରାଯାଉଛି। ଏମାନେ କେବଳ ପରିବେଶ ସୁରକ୍ଷା କରୁନାହାନ୍ତି, ବରଂ ଜଳ ସଂରକ୍ଷଣ ଉପରେ ବି ଗୁରୁତ୍ୱ ଦେଉଛନ୍ତି। ଆରାବଳି କ୍ଷେତ୍ରରେ ସେମାନେ ପ୍ରାୟ ୧୦ଟି ପୁଷ୍କରିଣୀ ଖୋଳିଛନ୍ତି।