ଏଇ ଭାରତରେ

ଜାଳେଣି ଗ୍ୟାସ୍‌ର ଚାହିଦା ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଏହାର ବ୍ୟାପକ ବ୍ୟବହାର ପରିବେଶକୁ କ୍ଷତି ପହଞ୍ଚାଉଛି। ଏଲ୍‌ପିଜି କୁକିଂ ଷ୍ଟୋଭରୁ କାର୍ବନ ମନୋକ୍ସାଇଡ ଓ ନାଇଟ୍ରୋଜେନ ଅକ୍ସାଇଡ ଭଳି ମାରାମତ୍କ ଗ୍ୟାସ୍‌ ନିିର୍ଗମନ ହେବାଦ୍ୱାରା ବାୟୁ ପ୍ରଦୂଷଣ ବଢୁଛି। ଏହାର ସମାଧାନ ଲାଗି ଆଇଆଇଟି ଗୁଆହାଟୀର ପ୍ରାଧ୍ୟାପକ ପି. ମୁଥୁ କୁମାର ଓ ତାଙ୍କ ଟିମ୍‌ ଏକ ଷ୍ଟୋଭ୍‌ ଡିଜାଇନ କରିଛନ୍ତି, ଯାହା ୫୦% ପର୍ଯ୍ୟନ୍ତ ଇନ୍ଧନ ଓ ୩୦% ସମୟ ବଞ୍ଚାଇପାରୁଛି। ଏହାର ନାମ ରଖାଯାଇଛି ପୋରସ ରେଡିୟାଣ୍ଟ ବର୍ନର ( ପିଆର୍‌ବିଏସ୍‌)। ଏହି ବର୍ନର ଉପଯୋଗ କରି ଏଲ୍‌ପିଜି, ବାୟୋଗ୍ୟାସ୍‌ କିମ୍ବା କିରୋସିନ ଭଳି ଇନ୍ଧନ ୨୫ରୁ ୫୦% ଯାଏ ବଞ୍ଚାଯାଇପାରିବ। ଏହା ୮୦% ଅଧିକ ଶକ୍ତି ଦକ୍ଷ। ପୋରସ ରେଡିୟାଣ୍ଟ ବର୍ନର ଉପଯୋଗ ଦ୍ୱାରା ପୂରା ଦେଶରେ ପ୍ରତିଦିନ ୧୩ ଲକ୍ଷ ଏଲ୍‌ପିଜି ସିଲିଣ୍ଡର ବଞ୍ଚାଯାଇପାରିବ। ଗବେଷକମାନେ ବେଙ୍ଗାଲୁରୁର ଅଗ୍ନିମୁଖ ଏନର୍ଜି ସଲ୍ୟୁଶନ ପ୍ରାଇଭେଟ୍‌ ଲିମିଟେଡ ଭାଗୀଦାରିରେ ଏହି ଷ୍ଟୋଭ ନିର୍ମାଣ କରିଛନ୍ତି। ଛୋଟ ବର୍ନରରେ ଘରେ ରୋଷେଇ କରାଯିବା ସହ ବଡ଼ ବର୍ନରକୁ ଦାହ ସଂସ୍କାରରେ ବ୍ୟବହାର କରାଯାଇପାରିବ। ୨୦୦୬ରୁ ଉକ୍ତ ବର୍ନର ନିର୍ମାଣ ଉପରେ ଗବେଷଣା ଆରମ୍ଭ ହୋଇ ଏହାର ଡିଜାଇନ ୨୦୧୮ରେ ଶେଷ ହୋଇଥିଲା ଓ ଏବେ ବ୍ୟବସାୟିକ ଉଦ୍ଦେଶ୍ୟରେ ଏହାକୁ ବଜାରକୁ ଛଡ଼ାଯିବାର ଯୋଜନା କରାଯାଇଛି।