ଏଇ ଭାରତରେ

ନିଯୁକ୍ତି ସୃଷ୍ଟି କରିବା ସହ କୃଷକଙ୍କୁ ସଶକ୍ତ କରିବାରେ ଲାଗିଛନ୍ତି ମୁମ୍ବାଇର ଶ୍ରୀୟା ନହେଟା। ସେ ମୁମ୍ବାଇର ଲୋକମାନଙ୍କୁ ଅର୍ଗାନିକ ଫୁଡ୍‌ ଡେଲିଭରି କରୁଛନ୍ତି। ଶ୍ରୀୟା ଏହିସବୁ ଫୁଡ୍‌ କୃଷକମାନଙ୍କଠାରୁ ଆଣୁଛନ୍ତି ଓ ଏଥିରେ ୫୦,୦୦୦ କୃଷକ ଲାଭ ପାଉଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଏତେ ସଂଖ୍ୟକ କୃଷକଙ୍କଠାରୁ ସେମାନଙ୍କ ଉତ୍ପାଦ ସଂଗ୍ରହ କରି ଲୋକଙ୍କ ଘରେ ପହଞ୍ଚାଇବା ପ୍ରକ୍ରିୟାରେ ବହୁ ନିଯୁକ୍ତି ମଧ୍ୟ ସୃଷ୍ଟି କରିଛନ୍ତି। ‘ଜାମା ଅର୍ଗାନିକ’ ସଂସ୍ଥା ମାଧ୍ୟମରେ ସେ ଏହା କରୁଛନ୍ତି। ଶ୍ରୀୟା ଏହି ସଂସ୍ଥାକୁ ୨୦୧୭ରେ ପ୍ରତିଷ୍ଠା କରିଥିଲେ। ସଂସ୍ଥା ମିଡିଲ୍‌ମ୍ୟାନ୍‌ ଭାବେ କାର୍ଯ୍ୟ କଲେ ମଧ୍ୟ କୃଷକମାନେ ଏହା ମାଧ୍ୟମରେ ଖାଉଟିଙ୍କ ସହ ସିଧା ସମ୍ପର୍କ ପ୍ରତିଷ୍ଠା କରିବାକୁ ସକ୍ଷମ ହେଉଛନ୍ତି। କୃଷକମାନେ ବଜାର ଦରଠାରୁ ୧୦ରୁ ୧୫ ପ୍ରତିଶତ ଅଧିକ ଲାଭ ପାଉଛନ୍ତି। ସେମାନେ ସମସ୍ତେ ଜୈବିକ କୃଷି କରୁଛନ୍ତି। ଖାଉଟିମାନଙ୍କଠାରୁ ଅର୍ଡର ଗ୍ରହଣ କରିବା ପରେ ‘ଜାମା ଅର୍ଗାନିକ୍‌’ ଓ୍ବେବ୍‌ସାଇଟ୍‌ରେ କେଉଁ ଉତ୍ପାଦ କେତେ ପରିମାଣରେ ଦରକାର ତାହା କୃଷକମାନଙ୍କୁ ଜଣାଇ ଦିଆଯାଏ ଓ ସେମାନଙ୍କଠାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଉତ୍ପାଦଗୁଡ଼ିକୁ ସଂଗ୍ରହ କରାଯାଏ। ସବୁ ଉତ୍ପାଦ ରାତି ଭିତରେ ମୁମ୍ବାଇରେ ପହଞ୍ଚିବା ପରେ ତା’ର ଯାଞ୍ଚ କରାଯାଇ ସକାଳ ହେବା କ୍ଷଣି ଲୋକଙ୍କ ଘରେ ପହଞ୍ଚାଇ ଦିଆଯାଏ। ପରିବା, ଶସ୍ୟ ହେଉ କି ମସଲା ତାହା ଗୋଟିଏ ଦିନରୁ ଅଧିକ ଷ୍ଟୋର୍‌ରେ ରଖାଯାଏ ନାହିଁ। ଜୈବିକ ପଦ୍ଧତିରେ ଉତ୍ପାଦିତ ତଟ୍‌କା ପନିପରିବା ଓ ଶସ୍ୟ ଖାଇ ଲୋକେ ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ ବୋଲି କହନ୍ତି ୨୭ ବର୍ଷୀୟା ଶ୍ରୀୟା।