ଏଇ ଭାରତରେ

କପ୍‌ରେ ଚା’ ପିଇବା ପରେ ତାହାକୁ ବିସ୍କୁଟ ଭଳି ଖାଇପାରିବେ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି କପ୍‌ ତିଆରି କରୁଛନ୍ତି ପୁନିତ ଦତ୍ତ। ‘ଆଟାବେୟର କଟ୍‌ଲେରି ଷ୍ଟାର୍ଟଅପ’୍‌ ମାଧ୍ୟମରେ ଏଭଳି କପ୍‌ ତିଆରି କରାଯାଉଛି। ପ୍ଲାଷ୍ଟିକ୍‌ ଡିସ୍ପୋଜାଲର ବିକଳ୍ପ ଭାବେ ଏହା ବ୍ୟବହାର ହେଉଛି। ଅଟା, ଗୁଡ, ବାଜରା, ମକା ସମେତ ଆଉ କିଛି ଶସ୍ୟରେ ଏହି କପ୍‌ ପ୍ରସ୍ତୁତ କରାଯାଉଛି। ଏହା ବ୍ୟତୀତ ସେ ଅନ୍ୟ ସବୁ ଖାଇବା ଯୋଗ୍ୟ ପାତ୍ର ମଧ୍ୟ ତିଆରି କରୁଛନ୍ତି। ଯମୁନା ନଦୀରେ ଭାସୁଥିବା ପ୍ଲାଷ୍ଟିକ ଜିନିଷକୁ ଦେଖିବା ପରେ ଏହାର ବିକଳ୍ପ କଥା ଚିନ୍ତା କରିଥିଲେ ପୁନିତ। ପରେ ସେ ଷ୍ଟାର୍ଟଅପ୍‌ ଗଠନ କରି ଏଡିବଲ୍‌ ଜିନିଷ ପ୍ରସ୍ତୁତ କରୁଛନ୍ତି, ଯାହାକୁ ବ୍ୟବହାର କରାଯିବା ପରେ ଖାଇହେଉଛି। ପୁନିତଙ୍କର ପ୍ରଥମ ଏଡିବଲ ପ୍ରଡକ୍ଟ ଥିଲା କପ୍‌। ପରେ ପ୍ଲେଟ୍‌, ଚାମଚ ମଧ୍ୟ ତିଆରି କରାଗଲା। ହେଲେ ସେ କପ୍‌ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରତି ସପ୍ତାହରେ ୯.୫ ଲକ୍ଷ କପ୍‌ ପ୍ରସ୍ତୁତ କରାଯାଇଛି। ଗ୍ରାହକଙ୍କ ଭିନ୍ନ ଭିନ୍ନ ପସନ୍ଦକୁ ଲକ୍ଷ୍ୟ କରି ଖାଇବା ଯୋଗ୍ୟ କପ୍‌କୁ ଭିନ୍ନ ସ୍ବାଦ ଦିଆଯାଉଛି ଓ ଏଥିରେ ଅଦା, ଅଳେଇଚ, ପିଜୁଳି, ତୁଳସୀ, ଷ୍ଟ୍ରବେରୀ ଆଦି ସାମିଲ କରାଯାଉଛି। ପୁନିତଙ୍କ ଏଭଳି ଜ୍ଞାନକୌଶଳରେ ଟନ୍‌ଟନ୍‌ ପା୍ଲଷ୍ଟିକ ବ୍ୟବହାର କମାଯାଇପାରିବ। ଲକ୍‌ଡାଉନ ସମୟରେ ସେ ଏହି କାର୍ଯ୍ୟରେ ୫୦ ଜଣ କର୍ମଚାରୀଙ୍କ ପାଇଁ ୬ ହଜାର କାର୍ଯ୍ୟ ଦିବସ ସୃଷ୍ଟି କରିପାରିଛନ୍ତି।