ଏଇ ଭାରତରେ

ଗୁଆପତ୍ର ସହ ତା’ ଖୋଳପାକୁ ଆମେ ଜାଳିଦେଉଛେ କିମ୍ବା ଫିଙ୍ଗି ଦେଉଛେ। କିନ୍ତୁ କେରଳର ଏବେ ଦମ୍ପତି ସେଥିରୁ କପ୍‌, ପ୍ଲେଟ୍‌, ଚାମଚ ସହିତ ଗ୍ରୋ ବ୍ୟାଗ୍‌ ପ୍ରସ୍ତୁତ କରୁଛନ୍ତି। ଦେବକୁମାର ନାରାୟଣନ୍‌ ପେସାରେ ଜଣେ ଇଞ୍ଜିନିୟର। ସେ ଓ ତାଙ୍କ ପତ୍ନୀ ସରନ୍ୟା ଏସ୍‌.ଭି. ଏବେ ଏହି କାର୍ଯ୍ୟ କରୁଛନ୍ତି। ଦେବକୁମାର ୟୁଏଇରେ ଚାକିରି କରିଥିଲେ। ସେଠାରୁ ଚାକିରି ଛାଡ଼ି ୨୦୧୮ରେ କେରଳର କସାରଗଡ଼କୁ ଫେରିବା ପରେ ‘ପାପଲା’ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏଭଳି ଜିନିଷମାନ ତିଆରି କରୁଛନ୍ତି। ‘ପାପଲା’ ଅର୍ଥ କମ୍‌ ପେପର୍‌ ଓ କମ୍‌ ପ୍ଲାଷ୍ଟିକ୍‌ ବୋଲି କୁହନ୍ତି ସରନ୍ୟା। ଏହି ଦମ୍ପତି କସାରଗଡ଼ ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରୁ ଗୁଆ ପତ୍ର ସହ ଖୋଳପା ସଂଗ୍ରହ କରି ଏହି ଜିନିଷ ପ୍ରସ୍ତୁତ କରିବାରେ ଲଗାଉଛନ୍ତି। ସେମାନେ ମଧ୍ୟ ଏ ବାବଦରେ ଗୁଆ ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେଉଛନ୍ତି। ଫଳରେ ସେମାନେ ଲାଭ ପାଉଛନ୍ତି ଓ ଅପରପକ୍ଷରେ ପ୍ଲାଷ୍ଟିକ ବ୍ୟବହାର ମଧ୍ୟ କମ୍‌ କରାଯାଇପାରୁଛି ବୋଲି କୁହନ୍ତି ଦେବକୁମାର। ଏହି କାର୍ଯ୍ୟରେ ୮ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ସେମାନେ ମଧ୍ୟ ସାବୁନ ଖୋଳ, ଟୋପି ଓ ବିଞ୍ଚଣା ତିଆରି କରୁଛନ୍ତି। ଏହାଦ୍ୱାରା ମାସକୁ ସେ ଏହିସବୁ ଜିନିଷରୁ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କପ୍‌, ପ୍ଲେଟ୍‌, ଚାମଚ ଆଦି ଜିନିଷର ମୂଲ୍ୟ ୧.୫୦ ଟଙ୍କାରୁ ୧୦ ଟଙ୍କା ଥିବାବେଳେ ଗ୍ରୋ ବ୍ୟାଗ୍‌ର ଖଣ୍ଡ ପ୍ରତି ଦାମ୍‌ ୪୦ ଟଙ୍କା ରଖାଯାଇଛି।