ଏଇ ଭାରତରେ

ଯମରାଜାଙ୍କ କଥା ଶୁଣିଲେ ମନରେ ଛନକା ପଶିଯାଏ। କିନ୍ତୁ କଳିଯୁଗରେ ଏମିତି ଜଣେ ଯମରାଜା ଅଛନ୍ତି ଯାହାଙ୍କ ନାମ ଶୁଣିଲେ ଲୋକେ ଖୁସି ହେଉଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରାଖଣ୍ଡ ପିଥୋରାଗଡ ଜିଲା ଶିଲିଂ ଗାଁର ଦିଓ୍ବାନି ରାମ। ପିଲାଦିନେ ମଇଁଷି ପିଠିରେ ବସି ଦିଓ୍ବାନି ସ୍କୁଲ ଯାଉଥିବାରୁ ଲୋକେ ତାଙ୍କୁ ଯମରାଜା ବୋଲି ଡାକନ୍ତିି। ସେ ବିପଦ ସମୟରେ ଲୋକମାନଙ୍କୁ କାନ୍ଧରେ ବସାଇ କିମ୍ବା ନାଉ କରି ନଦୀ ପାର କରୁଛନ୍ତି। ତାଙ୍କୁ ବୟସ ୪୯। ସେ ପେସାରେ ଜଣେ କୃଷକ। ବର୍ଷ ସାରା ଚାଷ କରନ୍ତି, ହେଲେ ବର୍ଷର ଦୁଇମାସ ସେ ଲୋକଙ୍କୁ ନଦୀ ପାର କରାନ୍ତି। ଏହା ବିନା ପରିଶ୍ରମିକରେ କରିଥାନ୍ତି ଯମରାଜ ଓରଫ ଦିଓ୍ବାନି। ଦୀର୍ଘ ୩୬ ବର୍ଷ ହେବ ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ବହୁ ସମୟରେ ତାଙ୍କ ଅଞ୍ଚଳରେ ବର୍ଷା ଯୋଗୁ ଅସ୍ଥାୟୀ ପୋଲ ଭାସିଯାଏ ଓ ଏହି ପରିସ୍ଥିତିରେ ସେ ଲୋକମାନଙ୍କୁ ନଦୀ ପାର କରିଥାନ୍ତି। ସରକାରୀ ଚାକିରିଆଙ୍କୁ ଅଫିସ. ପର୍ଯ୍ୟଟକଙ୍କ ବିଭିନ୍ନ କ୍ଷେତ୍ରକୁ ତଥା ସାଧାରଣ ଲୋକଙ୍କୁ ବଜାରକୁ ଯିବା ଲାଗି ସେ ନଦୀ ପାର କରିଥାନ୍ତି। ଏହି କାର୍ଯ୍ୟ ସେ ୧୪ ବର୍ଷ ବୟସରୁ କରିଆସୁଛନ୍ତି। ତାଙ୍କୁ ପ୍ରଥମେ ତାଙ୍କ ବାପା ଏହି କଠିନ କାର୍ଯ୍ୟ ଶିଖାଇଥିଲେ। ତିନି ପିଢି ହେବ ତାଙ୍କ ପରିବାର ଏହା କରିଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ତାଙ୍କ ଗାଁର ପ୍ରଧାନ ଭାବେ ନିର୍ବାଚିତ କରାଯାଇଛି।