ଏଇ ଭାରତରେ

ଅଦରକାରୀ ଫୁଲରୁ ବିଭିନ୍ନ ଉପକରଣ ପ୍ରସ୍ତୁତ କରି ମାସକୁ ୬୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ଦିଲ୍ଲୀର ପୁନମ୍‌ ସହରାବତ୍‌। ଚାପଗ୍ରସ୍ତ ସ୍ଥିତିରୁ ମୁକ୍ତି ପାଇବା ଲାଗି ସେ ମନ୍ଦିର ଯାଉଥିଲେ, ହେଲେ ତାଙ୍କ ନଜର ଚାଲିଯାଇଥିଲା ସେଠାରେ ନଷ୍ଟ ହେଉଥିବା ଫୁଲ ଉପରକୁ। ତେବେ ଏହାର ପୁନଃ ଉପଯୋଗ କରିବାର ଉପାୟ ବାହାର କରି ଏବେ ଭଲ ରୋଜଗାର କରିପାରୁଛନ୍ତି ଓ ୬ଜଣ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। ୨୦୧୯ରେ ସେ ତାଙ୍କ ବାନ୍ଧବୀ ପିଙ୍କି ଯାଦବଙ୍କ ସହ ମିଶି ‘ଆରୁହୀ ଏଣ୍ଟରପ୍ରାଇଜେସ୍‌’ ଗଠନ କରି ଅଦରକାରୀ ଫୁଲର ପୁନଃ ଉପଯୋଗ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ କରୋନା ମହାମାରୀ ସତ୍ତ୍ୱେ ଏହି କାର୍ଯ୍ୟ ସମ୍ପର୍କରେ ଏବେ ସୁଦ୍ଧା ସେ ୫୦୦ରୁ ଅଧିକ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ସାରିଲେଣି। ପ୍ରଥମେ ପ୍ରତିଦିନ ସକାଳୁ ଉଠି ସବୁ ମନ୍ଦିରରୁ ଅଦରକାରୀ ଫୁଲ ସଂଗ୍ରହ କରୁଥିଲେ ଓ ଏବେ ଏହି କାର୍ଯ୍ୟରେ ମହିଳାଙ୍କୁ ନିଯୁକ୍ତ କରିଛନ୍ତି। ଫୁଲକୁ ଶୁଖାଇ ଗୁଣ୍ଡ କରି ସେଥିରେ ଉପକରଣଗୁଡ଼ିକ ତିଆରି କରାଯାଉଛି। ‘ବର୍ଜ୍ୟରୁ ସମ୍ପଦ’ ଏହି ସିଦ୍ଧାନ୍ତକୁ ପ୍ରତିପାଦିତ କରିଛନ୍ତି ପୁନମ୍‌। ଗୋଟିଏ ପକ୍ଷରେ ମନ୍ଦିର ସଫା ରହିବା ସହ ପରିବେଶକୁ ଲାଭ ପହଞ୍ଚୁଛି। ସେ ଦୀପ, ମୂର୍ତ୍ତି ଆଦି ଆଠ ପ୍ରକାରର ଜିନିଷ ତିଆରି କରୁଛନ୍ତି। ଏହିସବୁ ଜିନିଷ ଭାଙ୍ଗିଗଲେ ତାହାକୁ ଖତ ଭାବେ ବି ବ୍ୟବହାର କରାଯାଇପାରୁଛି। ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ସେ ଉପତ୍ାଦ ବିକ୍ରି କରୁଛନ୍ତି। ଏହି ସବୁ ଜିନିଷ ୫୦ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କାରେ ବିକ୍ରି ହେଉଛି। ଏହି ଉପାୟରେ ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଟନ୍‌ ଅଦରକାରୀ ଫୁଲକୁ ଉପଯୋଗ କରାଯାଇ ହଜାର ହଜାର ମହିଳାଙ୍କୁ ନିଯୁକ୍ତି ଦିଆଯାଇପାରିବ ବୋଲି କହନ୍ତି ପୁନମ୍‌।