ଏଇ ଭାରତରେ

ମୃତ୍ୟୁ ପରେ ଶବଦାହ ସମ୍ମାନର ସହ ହେବା ଉଚିତ। କୌଣସି କାରଣରୁ ଶବ ବାହାରେ ପଡ଼ିରହିଲେ କିମ୍ବା ଏହା ପାଇଁ କେହି ଦାବି ନ କଲେ ତାହା ମାନବୀୟ ସମ୍ମାନ ହାନିକରେ। ଏଣୁ ଶବଦାହ ଲାଗି ପଞ୍ଜାବର ହରଜିନ୍ଦର ସିଂ ଚିମା ଆଇଆଇଟି ରୋପୁର ସାହାଯ୍ୟରେ ଏକ ପରିବେଶ ଉପଯୋଗୀ ମୋବାଇଲ କ୍ରିମେଟୋରିୟମ ବା ଭ୍ରାମ୍ୟମାଣ ଶବଦାହ ଗୃହ ନିର୍ମାଣ କରିଛନ୍ତି। ଚିମା ମେରାଇନ୍‌ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରି ୧୨ ବର୍ଷ ଏ କ୍ଷେତ୍ରରେ କାର୍ଯ୍ୟ କରିବା ପରେ ‘ଚିମା ବଏଲର କମ୍ପାନୀ’ ପ୍ରତିଷ୍ଠା କରିଥିଲେ। ମହାମାରୀରେ ଶବଦାହରେ ଅବ୍ୟବସ୍ଥା ଦେଖିବା ପରେ ସେ ଏଭଳି ଏକ କ୍ରିମେଟୋରିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇ ଏପ୍ରିଲ ୨୦୨୧ରେ ଏଥିପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ଦାହ ଲାଗି ଏଥିରେ ବିଦ୍ୟୁତ୍‌ ଦରକାର ହେଉନାହିଁ। କାଠରେ ଶବଦାହ କରାଯାଉଛି ଓ ବହୁତ କମ୍‌ ଧୂଅଁା ବାହାରୁଛି। ମୋବାଇଲ କ୍ରିମେଟୋରିୟମକୁ ପ୍ରଥମେ ମୋହାଲିର ଏକ ଶ୍ମଶାନରେ ରଖାଯିବା ପରେ ଏଥିରେ ଶବଦାହ କରିବା ଲାଗି ଲୋକମାନେ ପସନ୍ଦ କରିଥିଲେ। ବାହାରେ ଗୋଟିଏ ମୃତଦେହକୁ ସମ୍ପୂର୍ଣ୍ଣ ଦାହ କରିବା ଲାଗି ୪ କ୍ୱିଣ୍ଟାଲ କାଠ ପ୍ରାୟ ୫ରୁ ୬ ଘଣ୍ଟା ଲାଗୁଥିବାବେଳେ ଏଥିରେ ମାତ୍ର ୩-୪ ଘଣ୍ଟା ଓ ୨.୫ କୁଇଣ୍ଟାଲ କାଠ ଆବଶ୍ୟକ ହେଉଛି।