ଏଇ ଭାରତରେ

ସ୍କୁଲ ନ ଯାଇ ପେଟ ଚିନ୍ତାରେ ରାସ୍ତାରେ ବୁଲୁଥିବା ଅସହାୟ ପିଲାମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କାର୍ଯ୍ୟରତ ବହୁ ବ୍ୟକ୍ତିଙ୍କ ମଧ୍ୟରୁ ମୁମ୍ବାଇର ହୈମନ୍ତି ସେନ୍‌ ଅନ୍ୟତମ। ସେ ଏକ ଭଲ ଦରମାର କର୍ପୋରେଟ ସେକ୍ଟର ଚାକିରି ଛାଡ଼ି ଏବେ ମୁମ୍ବାଇର ଖାଣ୍ଡିବାଲି ଷ୍ଟେଶନର ସ୍କାଏଓ୍ବାକ୍‌ରେ ବସ୍ତି ପିଲାମାନଙ୍କୁ ପଢ଼ାଉଛନ୍ତି। ସ୍କୁଲକୁ ନ ଯାଇ ରାସ୍ତାରେ ଭିକ୍ଷା ମାଗୁଥିବା ଏହି ପିଲାମାନଙ୍କୁ ଦେଖିବା ପରେ ସେନ୍‌ ଉକ୍ତ କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ‘ଜୁନୁନ୍‌’ ସଂସ୍ଥା ଗଠନ କରିଛନ୍ତି ଓ ତାଙ୍କର ଏହି ମହତ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ବହୁ ସମଚିନ୍ତାଧାରାର ବ୍ୟକ୍ତି ଏଥିତ୍ରେ ସାମିଲ ହୋଇଛନ୍ତି। ହୈମନ୍ତଙ୍କ ବୟସ ଏବେ ୨୫। ସେ ପିଲାମାନଙ୍କୁ ମୌଳିକ ଶିକ୍ଷା ଦେବା ସହ ବିଭିନ୍ନ କୌଶଳ ଶିକ୍ଷା ମଧ୍ୟ ପ୍ରଦାନ କରୁଛନ୍ତି। ଏବେ ତାଙ୍କ ପାଖରେ ୧୫ ଜଣ ପିଲା ପଢୁଛନ୍ତି। ପିଲାମାନଙ୍କୁ ଅକ୍ଷର ଶିଖାଇବା, ସଂଖ୍ୟାଗଣନା, ଶବ୍ଦ, କଳା ଓ ଯୋଗାଯୋଗ ସମ୍ପର୍କିତ ଶିକ୍ଷା ଦିଆଯାଉଛି। ଅଧିକରୁ ଅଧିକ ପିଲାଙ୍କୁ ନେଇ ମୁମ୍ବାଇର ବିଭିନ୍ନ ବସ୍ତି ଅଞ୍ଚଳରେ ଅସହାୟ ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ସେ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ତାଙ୍କୁ ସହଯୋଗ କରିବାକୁ କେତେକ ସ୍ବେଚ୍ଛାସେବୀ ସଂଗଠନ ଆଗକୁ ଆସିଛନ୍ତି।