ଏଇ ଭାରତରେ

ପେସାରେ ଜଣେ ଡାକ୍ତର, କିନ୍ତୁ ପରିବେଶ ସୁରକ୍ଷା ପାଇଁ ସଦା ବ୍ୟସ୍ତ ଡା.ପରମେଶ୍ୱର ମୁଣ୍ଡେ। ସେ ମହାରାଷ୍ଟ୍ରରେ ପର୍ଯ୍ୟଟନଭିତ୍ତିକ ପାହାଡ଼ଗୁଡ଼ିକୁ ପ୍ଲାଷ୍ଟିକ ବର୍ଜ୍ୟମୁକ୍ତ କରିବା ଲାଗି ଅଭିଯାନ ଚଳାଇଛନ୍ତି। କେବଳ ଏତିକି ନୁହେଁ, ସେ କୋଭିଡ୍‌-୧୯ ମହାମାରୀ ଲକ୍‌ଡାଉନ ସମୟରେ ମୁମ୍ବାଇରେ ତାଙ୍କ ଘର ପାଖରେ ଏକ କ୍ଲିନିକ୍‌ ଖୋଲି ଚିକିତ୍ସା ପାଇଁ ମାତ୍ର ୧ ଟଙ୍କା ନେଉଛନ୍ତି। ତାଙ୍କୁ ଲୋକେ ଡା. ଦେବ ଭାବେ ବି ଜାଣନ୍ତି। ସେ ସେଠ୍‌ ଜି.ଏସ୍‌. ମେଡିକାଲ କଲେଜର ଦ୍ୱିତୀୟ ବର୍ଷ ଛାତ୍ର ଥିବାବେଳେ କଲେଜ ଦ୍ୱାରା ଆୟୋଜିତ ହାଇକିଂ ଏବଂ ମାଉଣ୍ଟେନରିଂରେ ଯୋଗ ଦେଇଥିଲେ ଓ ତାହା ତାଙ୍କ ହବି ପାଲଟି ଯାଇଥିଲା। ପରେ ସେ ବିଭିନ୍ନ ପାହାଡ଼ ଚଢ଼ିବା ସମୟରେ ସେଠାରୁ ବର୍ଜ୍ୟ ମୁଖ୍ୟତଃ ପ୍ଲାଷ୍ଟିିକ୍‌ ବୋତଲ, କ୍ୟାନ୍‌ ଗୋଟାଇବା ଆରମ୍ଭ କରିଥିଲେ। ଡା. ମୁଣ୍ଡେ ପାହାଡ଼ିଆ ଅଞ୍ଚଳକୁ ପ୍ରଦୂଷଣ ମୁକ୍ତ କରିବା ସହ ଏକ ପରିବେଶ ଉପଯୋଗୀ ପର୍ଯ୍ୟଟନର ବାର୍ତ୍ତା ଦେଉଛନ୍ତି। ଏହି ଅଭିଯାନରେ ସେ ୪୮ ଜଣ ବୃତ୍ତିଗତ ଚଢ଼ାଳିଙ୍କୁ ମଧ୍ୟ ତାଙ୍କ ଟିମ୍‌ରେ ସାମିଲ କରିଛନ୍ତି। ଏହା ବ୍ୟତୀତ ସେ ଓ ତାଙ୍କ ମେଡିକାଲ ଟିମ୍‌ ପାହାଡ଼ିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ଡାକ୍ତରୀ ଶିକ୍ଷାରେ ଡିଗ୍ରୀ ହାସଲ ପରଠାରୁ ସେ ଚଳାଇ ଆସୁଥିବା ଏହି ଅଭିଯାନ ପାଇଁ ବହୁ ଘାତପ୍ରତିଘାତର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶେଷରେ ସଫଳ ହୋଇଛନ୍ତି। ସେ ଓ ତାଙ୍କ ଟିମ୍‌ କଲେଜ ପିଲାମାନଙ୍କୁ ଉକ୍ତ କାର୍ଯ୍ୟ ଲାଗି ପ୍ରେରିତ କରୁଛନ୍ତି।