ଏଇ ଭାରତରେ

ମାନସିକ ଅନଗ୍ରସର ସନ୍ତାନଟିଏ ଥିଲେ ତାହାର ଯତ୍ନ ନେବା କେତେ ଯେ କଷ୍ଟକର ସେକଥା ମା-ବାପା ହିଁ ଜାଣନ୍ତି। ଏମିତି ସନ୍ତାନଟିଏ ଥିଲା ସୁଲୋଚନା ଓ ନିରଜ ବିରୁଙ୍କର। ସେମାନେ ନିଜ ସନ୍ତାନ ସହ ଅନ୍ୟ ମାନସିକ ଅନଗ୍ରସରଙ୍କ ସ୍ଥିତି ଚିନ୍ତା କରି ଗଢ଼ିଛନ୍ତି ଏକ ଆଶ୍ରୟସ୍ଥଳୀ। ସେଠାରେ ସେମାନେ ୫୦୦ରୁ ଊର୍ଦ୍ଧ୍ୱ ଏଭଳି ବ୍ୟକ୍ତିଙ୍କୁ ରଖିଛନ୍ତି। ସେମାନଙ୍କର ଖାଇବା, ଚିକିତ୍ସା ସବୁର ଖର୍ଚ୍ଚ ବହନ କରୁଛନ୍ତି। ୭୦ ଦଶକରେ ଏହି ଦମ୍ପତି ସେମାନଙ୍କ ମାନସିକ ଅନଗ୍ରସର ପୁତ୍ର ସନ୍ତାନର ଚିକିତ୍ସା ତଥା ଲାଳନପାଳନରେ ବହୁ ସମସ୍ୟାର ସମ୍ମୁଖୀନ ହେବା ପରେ ଏପରି ଏକ ଆଶ୍ରୟସ୍ଥଳୀ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ପୁଣେରେ ନିରଜଙ୍କର ଏକ ସ୍ପେୟାର ପାଟର୍‌ସ ଦୋକାନ ଥିଲା। ପ୍ରଥମେ ସେମାନେ ସେଠାରେ ତାଙ୍କ ପୁଅ ଓ ଅନ୍ୟ କେତେଜଣ ପିଲାଙ୍କୁ ନେଇ ରଖିଥିଲେ। ପରେ ‘ବେରୁ ମତିମନ୍ଦ ପ୍ରତିଷ୍ଠାନ’ ଗଠନ କରି ସେବାକୁ ସମ୍ପ୍ରସାରିତ କରିଥିଲେ। ତାହାକୁ ସେମାନେ ପୁଣେରୁ ମୁମ୍ବାଇ ନେଇଥିଲେ ଓ ସରକାର ତାଙ୍କୁ ଉକ୍ତ ପ୍ରତିଷ୍ଠାନ ପାଇଁ ୨.୫ ଏକର ଜମି ଲିଜ୍‌ରେ ପ୍ରଦାନ କରିଥିଲେ। ଧୀରେ ଧୀରେ ସେମାନଙ୍କ ଆଶ୍ରୟସ୍ଥଳୀରେ ମାନସିକ ବିକାରଗ୍ରସ୍ତ ପିଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା ଓ ଏବେ ସେଠାରେ ବିଭିନ୍ନ ବୟସ ବର୍ଗର ୫୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବୟସ୍କ ହୋଇଥିବା ବେଳେ କିଛି ଆରପାରିକୁ ଚାଲିଗଲେଣି। ଏହା ମଧ୍ୟରେ ପ୍ରତିଷ୍ଠାତା ନିରଜଙ୍କର ମଧ୍ୟ ଦେହାନ୍ତ ଘଟିଲାଣି। ତେବେ ସୁଲୋଚନା ଏବେ ଏହାର ମଙ୍ଗ ଧରିଛନ୍ତି। ସେଠାରେ ୨୦ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରି ସେବା ଚଳାଉଛନ୍ତି। ଆର୍ଥିକ ଅନୁଦାନ ତଥା ସକ୍ଷମ ଅଭିଭାବକମାନଙ୍କ ଦେୟ ମାଧ୍ୟମରେ ଖର୍ଚ୍ଚ ଭରଣା କରୁଛନ୍ତି ସୁଲୋଚନା।