ଏଇ ଭାରତରେ

ଗୋଟିଏ ପଟେ ଶିକ୍ଷାଦାନ ଓ ଅନ୍ୟପଟେ ପରିବେଶ ସୁରକ୍ଷା ପାଇଁ ଚେଷ୍ଟିତ ଜଣେ ଶିକ୍ଷକଙ୍କ ଜୀବନ ଗାଥା ନିଶ୍ଚୟ ପ୍ରେରଣାଦାୟକ। ଏହି ଶିକ୍ଷକ ଜଣକ ହେଉଛନ୍ତି କେରଳର ରଫି ରାମନାଥ। ଆଲ୍‌ଫୁଜା ଜିଲା ବିଜ୍ଞାନ ବିଳାସିନୀ ହାୟର ସେକଣ୍ଡାରୀ ସ୍କୁଲ୍‌( ଭିଭିଏଚ୍‌ଏସ୍‌ଏସ୍‌)ରେ ବିଜ୍ଞାନ ଶିକ୍ଷକ ରହିଛନ୍ତି। ସେ ପିଲାମାନଙ୍କୁ ପଢ଼ାଇବା ସହିତ ସ୍କୁଲରେ ଏକ ହର୍ବାଲ ଗାର୍ଡେନ କରିଛନ୍ତି। ଏଥିରେ ୧୫୦ରୁ ଊର୍ଦ୍ଧ୍ୱ ଔଷଧୀୟ ବୃକ୍ଷ ଲଗାଇଛନ୍ତି। କେବଳ ଏତିକି ନୁହେଁ ସ୍କୁଲ ପରିସରରେ ସେ ୧୧୨ ପ୍ରକାରର ୪୫୦ରୁ ଅଧିକ ଫଳଜାତୀୟ ଗଛ ମଧ୍ୟ ଲଗାଇ ଏକ ମିନିଜଙ୍ଗଲ କରିଛନ୍ତି। ମୁଖ୍ୟତଃ ଆମ୍ବ, ପଣସ, ଜାମୁ ଆଦି ଗଛ ସେ ଉତାରିଛନ୍ତି । ୨୦୦୪ରେ ରଫି ଭିଭିଏଚ୍‌ଏସ୍‌ଏସ୍‌ରେ ଯୋଗଦେବା ପରେ ୨୦୦୯ରେ ଇକୋ କ୍ଲବ୍‌ ସହ ଜଡ଼ିତ ହୋଇଥିଲେ। ସେବେଠାରୁ ସେ ବୃକ୍ଷରୋପଣ ଆରମ୍ଭ କରି ଏହି ସଫଳତା ହାସଲ କରିପାରିଛନ୍ତି। ରଫି ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚଳାଇଥିବା ଏକ ଏନ୍‌ଜିଓର କୋଅର୍ଡିନେଟର ଭାବେ ଆଲ୍‌ଫୁଜା ଜିଲାରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରିସାରିଛନ୍ତି। ସେ ମଧ୍ୟ ଉକ୍ତ ଏନ୍‌ଜିଓ ମାଧ୍ୟମରେ ଏକ ଚାରା କେନ୍ଦ୍ର ପ୍ରତିଷ୍ଠା କରି ୨ ଲକ୍ଷ ଚାରା ମାଗଣାରେ ବାଣ୍ଟିଛନ୍ତି।