ଏଇ ଭାରତରେ

ସରକାରୀ ସ୍କୁଲର ବିକାଶ ସରକାର କରିବେ- ଏଭଳି ଧାରଣା ସମସ୍ତଙ୍କର ରହିଛି। ହେଲେ ବ୍ୟକ୍ତିଗତ ଅନୁଦାନରେ ଏଭଳି ବିକାଶ ସମ୍ଭବ ବୋଲି ପ୍ରମାଣ କରିଛନ୍ତି ଅରୁଣାଚଳପ୍ରଦେଶର ଟୁମଟୋ ଏଟେ। ସେ ଓ୍ବେଷ୍ଟ ସିଆଙ୍ଗ ଜିଲାର ପୋବଡ଼ି ସେକେଣ୍ଡାରୀ ସ୍କୁଲରେ ପଢୁଥିଲେ। ସ୍କୁଲ ଓ ପରେ କଲେଜ ଶିକ୍ଷା ଶେଷ କରି ସେ ୧୯୮୭ରୁ ଅନ୍ୟ ଏକ ସ୍କୁଲରେ ଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ୧୯୬୧ରେ ପୋବଡ଼ି ସେକେଣ୍ଡାରୀ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା। ଏହି ସ୍କୁଲକୁ ରାସ୍ତା ନ ଥିତ୍ଲା। ବ୍ଲାକ୍‌ବୋର୍ଡ, ଡେସ୍କ କିମ୍ବା ବେଞ୍ଚ ପାଣ୍ଠି ଅଭାବରୁ କରାଯାଇପାରି ନ ଥିଲା। ଏହିସବୁ ସମସ୍ୟା ଏବେ ଟୁମଟୋଙ୍କ ଚେଷ୍ଟା ଯୋଗୁ ଦୂର ହୋଇପାରିଛି। ଏହି ସ୍କୁଲରେ ପଢ଼ି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୬ଟି ଗାଁର ବ୍ୟକ୍ତିମାନଙ୍କଠାରୁ ପାଣ୍ଠି ଯୋଗାଡ଼ କରି ସ୍କୁଲ ବିକାଶ କରିପାରିଛନ୍ତି ଟୁମଟୋ। ୧୦ଜଣ ବ୍ୟକ୍ତି ହଷ୍ଟେଲ ନିର୍ମାଣ କରିବା ଲାଗି ଜମି ଦେଇଛନ୍ତି। ପାଖାପାଖି ୩୨୦ଜଣ ଗ୍ରାମବାସୀ ସେମାନଙ୍କ ଦୁଇଦିନର ଦରମା ଦେଇଛନ୍ତି। ଏହି ପ୍ରୟାସ ଯୋଗୁ ସ୍କୁଲ ବିକାଶ ପାଇଁ ଏଯାବତ ୧୫ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଡ଼ ହୋଇପାରିଛି।