କୁହାଯାଏ ମଣିଷ ଶକ୍ତି ଖଟାଇଲେ ପଥର ପାଣି ହୋଇଯାଏ। ଉତ୍ତରାଖଣ୍ଡର ଏଭଳି ଜଣେ ସୈନିକ ଜଗତ ସିଂ ଚୌଧୁରୀ ୪ ଦଶନ୍ଧି ଧରି ନିଜ ଚେଷ୍ଟାରେ ଏକ ବଡ଼ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ଏହି ଜଙ୍ଗଲରେ ବିଭିନ୍ନ ପ୍ରକାରର ଲକ୍ଷ ଲକ୍ଷ ଗଛ ରହିଛି ଓ ଏହା ସେଠାକାର ଗ୍ରାମବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। କେବଳ ଏତିକି ନୁହେଁ, ଗାଁ ନିକଟସ୍ଥ ଶୁଷ୍କ ଜଳସ୍ରୋତକୁ ଅଟକାଇବା ଲାଗି ଜଗତ ୨୦୦ରୁ ଊର୍ଦ୍ଧ୍ୱ ଆଡ଼ିବନ୍ଧ ନିର୍ମାଣ କରିଛନ୍ତି। ଜଙ୍ଗଲ ଓ ବନ୍ଧ ପାଇଁ ସବୁ ଟଙ୍କା ନିଜେ ଖର୍ଚ୍ଚ କରିଛନ୍ତି। ଏହାଦ୍ୱାରା ପାଣି ଲାଗି ମହିଳାମାନଙ୍କୁ ଆଉ ବହୁଦୂର ଯିବାକୁ ପଡ଼ୁନାହଁି। ଏହାଦ୍ୱାରା ଶୁଖିଲା ଜମି ଶସ୍ୟଶ୍ୟାମଳା ହୋଇଉଠିଛି। ସେଥିପାଇଁ କୃଷକମାନେ ଜଗତ ସିଂଙ୍କୁ ଶ୍ରଦ୍ଧାରେ ‘ଜଙ୍ଗଲୀ’ ବୋଲି ସମ୍ବୋଧନ କରୁଛନ୍ତି। ଏଭଳି ଡାକ ପଛରେ ଜଙ୍ଗଲ ସମ୍ପର୍କିତ ଏକ ବିଚାର ଓ ପ୍ରେରଣା ରହିଥିବାରୁ ଏହାକୁ ଖୁସିରେ ଗ୍ରହଣ କରନ୍ତି ବୋଲି କହନ୍ତି ୭୩ ବର୍ଷୀୟ ଜଗତ। ରୁଦ୍ରପ୍ରୟାଗର କୋଟମଲ୍ଲା ଗାଁରେ ରହନ୍ତି ଜଗତ ସିଂ। ଗଡ଼ଓ୍ବାଲା ବିଶ୍ୱବିଦ୍ୟାଳୟରୁ କଳାରେ ଡିଗ୍ରୀ ହାସଲ କରିବା ପରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ରେ ଯୋଗଦେଇଥିଲେ ଓ ୧୯୭୧ ଭାରତ- ପାକିସ୍ତାନ ଯୁଦ୍ଧରେ ଭାଗ ନେଇଥିଲେ। ୧୯୭୪ରେ ଥରେ ଗାଁକୁ ଛୁଟିରେ ଆସିଥିବା ସମୟରେ ମହିଳାମାନେ ପାଣି ଓ ପଶୁ ଚରାଇବା ଲାଗି ୧୦ କି.ମି. ଯିବା ଲକ୍ଷ୍ୟ କରିଥିଲେ। ମହିଳାମାନଙ୍କୁ ଗାଁ ପାଖରେ କିଭଳି ଜଳସ୍ରୋତ ଓ ଚାରଣଭୂମି ମିଳିବ, ସେଥିପାଇଁ ସେ ପ୍ରଥମେ ୧.୫ ହେକ୍ଟର ଜମିରେ ଗଛ ଲଗାଇବା ଆରମ୍ଭ କରି ପରେ ଏହାକୁ ସମ୍ପ୍ରସାରିତ କରିପାରିଛନ୍ତି। ଜଙ୍ଗଲରେ ଏକପ୍ରକାର ବାଉଁଶ ରହିଛି, ଯାହା ମାଧ୍ୟମରେ ସେଠାକାର ଜନଜାତି ଟୋକେଇ, ପାଛିଆ ଆଦି ତିଆରି କରି ବେଶ୍ ଦି’ ପଇସା ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି।