ଏଇ ଭାରତରେ

ବୟସ ୬୭। ଏକୁଟିଆ ନିଜ ଖର୍ଚ୍ଚରେ ଏକ ଜଙ୍ଗଲ କରିପାରିଛନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି କେରଳ ତ୍ରିଶୂର ଜିଲାର ଗୋପାଳକ୍ରିଷ୍ଣନ କେ.ଆର୍‌.। ବ୍ୟାଙ୍କ କର୍ମଚାରୀ ଭାବେ ୨୦୧୪ରେ ଅବସର ନେବା ପରେ ପ୍ରଥମେ ୧୫ ଲକ୍ଷ ଟଙ୍କାରେ ଜମି କିଣିଥିଲେ। ଏଥିରେ କେବଳ ରବର ଗଛ ରହିଥିଲା। ଗୋପାଳକ୍ରିଷ୍ଣନ ଧୀରେ ଧୀରେ ଏହି ଗଛକୁ ହଟାଇ ସେହି ସ୍ଥାନରେ ବିଭିନ୍ନ ଫଳଗଛ ଲଗାଇବା ଆରମ୍ଭ କରିଥିଲେ। ଜମି କିଣିବା ଖର୍ଚ୍ଚ ବାଦ୍‌ ସେ ଏଥିରେ ଆଉ ୧୦-୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଜଙ୍ଗଲର ନାମ ରଖିଛନ୍ତି ‘ପ୍ରାଣ’। ଜଙ୍ଗଲରେ ୫୦୦ ପ୍ରକାର ଗଛ ରହିଛି। ବିଭିନ୍ନ ପ୍ରକାର ୨୦୦ ଫଳଗଛ ସମେତ ୧,୦୦୦ ଔଷଧୀୟ ଗଛ ଶୋଭାପାଉଛି ଏହି ଜଙ୍ଗଲରେ । ଏହା ଏବେ ହଜାର ହଜାର ପକ୍ଷୀଙ୍କ ଆବାସସ୍ଥଳ ପାଲଟିଛି। ଅନ୍ୟ ଲୋକମାନଙ୍କୁ ଜଙ୍ଗଲ ସୃଷ୍ଟି କରିବା ଲାଗି ଚାରା ଯୋଗାଇବା ସହ ତାହାକୁ ରୋପଣ କରିବାରେ ସେ ସାହାଯ୍ୟ କରୁଛନ୍ତି। ଏହାଦ୍ୱାରା ୧୦୦ଟି ପରିବାର ଉପକୃତ ହୋଇଛନ୍ତି। ଏହି କାର୍ଯ୍ୟ ଲାଗି ଗୋପାଳକ୍ରିଷ୍ଣନଙ୍କୁ କେରଳ ସରକାର ‘ବନମିତ୍ର’ ପୁରସ୍କାର ପ୍ରଦାନ କରିଛନ୍ତି। କେବଳ ଏତିକିରେ ତାଙ୍କ କାର୍ଯ୍ୟ ସୀମିତ ରହିନାହିଁ , ସେ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସୁବିଧା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।