ଏଇ ଭାରତରେ

ପ୍ରକୃତି ଓ ପକ୍ଷୀ ପ୍ରେମରେ ବାନ୍ଧି ହୋଇଯାଇଛନ୍ତି ରାଜସ୍ଥାନର ସନା ଫିରଦୌସ। ଯୋଧପୁର ନିବାସୀ ସନା ଅଦରକାରୀ ଜିନିଷ ଉପଯୋଗ କରି ତାଙ୍କ ଘରକୁ ଏକ ସୁନ୍ଦର ପକ୍ଷୀ ଅଭୟାରଣ୍ୟ କରିଛନ୍ତି। ପ୍ରତ୍ୟେକ ଦିନ ତାଙ୍କ ଘରକୁ ୭୦-୮୦ ପକ୍ଷୀ ଆସୁଛନ୍ତି। ସକାଳ ସନ୍ଧ୍ୟାରେ ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ପରିବେଶ ଫାଟିପଡ଼ୁଛି। ପକ୍ଷୀଙ୍କୁ ସନା ପରିବାରର ସଦସ୍ୟ ଭାବେ ଦେଖୁଛନ୍ତି। ଦୈନିକ ସେ ପକ୍ଷୀଙ୍କୁ ଖାଦ୍ୟ ଓ ପାଣି ଯୋଗାଉଛନ୍ତି। ବର୍ଷେ ପୂର୍ବେ ସେ ପ୍ରଥମେ ତାଙ୍କ ଘର ଛାତ ଉପରେ କେତୋଟି ପକ୍ଷୀଙ୍କୁ ଖାଇବାକୁ ଦେବା ଆରମ୍ଭ କରିବା ପରେ ତାଙ୍କ ଘରକୁ ଧୀରେ ଧୀରେ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଇବାକୁ ଆସିଲେ। ପରେ ସନା ସେମାନଙ୍କ ପାଇଁ ବସିବା ଲାଗି ବନ୍ଦୋବସ୍ତ କଲେ। ଏବେ ତାଙ୍କ ଘରକୁ ୫ଟି ବୁଲବୁଲ୍‌, ଟେଲର ବାର୍ଡ, ସନ୍‌ବାର୍ଡ, ଜଙ୍ଗଲ ଓ୍ବେବଲର ଭଳି ପକ୍ଷୀ ଆସୁଛନ୍ତି। ସନାଙ୍କ ସହ ତାଙ୍କ ତିନି ସନ୍ତାନ ଏହି କାର୍ଯ୍ୟରେ ଲାଗିଛନ୍ତି। ସନା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପକ୍ଷୀଙ୍କ ସୁରକ୍ଷା ସମ୍ପର୍କରେ ସଚେତନ କରୁଛନ୍ତି ଓ ସେମାନଙ୍କ ଭଲ ପାଇବା ଲାଗି ବାର୍ତ୍ତା ମଧ୍ୟ ଦେଉଛନ୍ତି। ଏହାବ୍ୟତୀତ କିଭଳି ଅଧିକରୁ ଅଧିକ ପକ୍ଷୀଙ୍କୁ ଘରକୁ ଅଣାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଶିକ୍ଷା ଦେଉଛନ୍ତି।