ଏଇ ଭାରତରେ

ଜଣେ ୟୁପିଏସ୍‌ସି ଆଶାୟୀଙ୍କ ଶିକ୍ଷା ପ୍ରତି ସମର୍ପିତ ଭାବ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ଏହି ଯୁବକ ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ବଦୌନ ଜନ୍ମିତ ନରେଶ ପାଲ୍‌। ସେ ରହୁଛନ୍ତି ଦିଲ୍ଲୀରେ। ଯମୁନାଖଦର ଅଞ୍ଚଳର ଏକ ପୋଲ ତଳେ ପ୍ରତିଦିନ ୧୫୦ ଅସହାୟ ପିଲାଙ୍କୁ ବିନା ଦେୟରେ ଶିକ୍ଷା ଦେଉଛନ୍ତି। ଯମୁନା ନଦୀ କୂଳର ଏହି ବ୍ରିଜ୍‌ ତଳେ ସେ ଆଜକୁ ୧୦ ବର୍ଷ ହେଲା ପଢ଼ାଉଛନ୍ତି। ପିଲାମାନଙ୍କୁ ପଢ଼ାଇବା ସହ ସେ ୟୁପିଏସ୍‌ସି ପରୀକ୍ଷା ଲାଗି ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ବ୍ରିଜ୍‌ ତଳେ ଚାଲିଥିବା ଏହି ସ୍କୁଲ ଚାରିପାଖରେ କାନ୍ଥ ନାହିଁ କି ଚେୟାର ଟେବୁଲ ମଧ୍ୟ ନାହିଁ। ନାନା ସମସ୍ୟା ଭିତରେ ନରେଶ ତାଙ୍କ ଶିକ୍ଷାଦାନ ଜାରି ରଖିବା ଫଳରେ ଅଧାରୁ ପାଠ ଛାଡୁଥିବା ବହୁ ପିଲା ପୁନର୍ବାର ଶିକ୍ଷା ସହ ଯୋଡ଼ି ହେଉଛନ୍ତି। ନରେଶ ଏହି ସ୍କୁଲ୍‌ର ନାମ ରଖିଛନ୍ତି ‘ଫ୍ରି ସ୍କୁଲ ଅଣ୍ଡର ଦି ବ୍ରିଜ୍‌’। ସ୍କୁଲ ଚାଲୁଥିବା ସମୟରେ ବହୁ ଅପରିଚିତ ବ୍ୟକ୍ତି ଆସି ଅର୍ଥଦାନ କରୁଛନ୍ତି। ସେହି ଅର୍ଥକୁ ପାଠ୍ୟ ଉପକରଣ କିଣାରେ ଖର୍ଚ୍ଚ କରାଯାଏ ଓ ଏଥିରେ ମଧ୍ୟ ପିଲାମାନଙ୍କ ପାଇଁ ଟଏଲେଟ୍‌ ନିର୍ମାଣ କରାଯାଇଛି। ୧୦ ବର୍ଷ ପୂର୍ବରୁ ନରେଶ ଏଭଳି ପିଲାଙ୍କୁ ପଢ଼ାଇ ଆସୁଥିଲେ ହେଁ କୋଭିଡ୍‌ ମହାମାରୀ ସମୟରେ ଲକ୍‌ଡାଉନ୍‌ ନେଇ କିଛି ବାଧା ଆସିଥିଲା। ହେଲେ ପରେ ସବୁ ସ୍ବାଭାବିକ ଭାବେ ଚାଲିଛି ଓ ପିଲାମାନଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି।