ଏଇ ଭାରତରେ

ଆଦିବାସୀଙ୍କ କଲ୍ୟାଣ ପାଇଁ ଲାଗୁ ବହୁ ଯୋଜନାର ଫଳାଫଳ ତୃଣମୂଳ ସ୍ତରରେ ନୈରାଶ୍ୟଜନକ ରହିଥିବାବେଳେ ସେମାନଙ୍କ ଉନ୍ନତି ଲାଗି ଦିନାନାଥ ରାଜପୁତଙ୍କ ବ୍ୟକ୍ତିଗତ ଉଦ୍ୟମ ପ୍ରଶଂସନୀୟ। ଛତିଶଗଡ଼ର ଏହି ଯୁବ ଇଞ୍ଜିନିୟର ଚାକିରି ଛାଡି ୬,୦୦୦ ଆଦିବାସୀ କୃଷକଙ୍କ ରୋଜଗାର ୩ଗୁଣା ବଢାଇପାରିଛନ୍ତି। ଦିନାନାଥ ୨୦୧୩ରେ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ବେଙ୍ଗାଲୁରୁରେ ଏକ ସଫ୍ଟଓ୍ବେର କମ୍ପାନୀରେ କାର୍ଯ୍ୟ କରୁଥିଲେ। ପରେ ଚାକିରି ଛାଡି ଏକ ଏନ୍‌ଜିଓରେ ଯୋଗ ଦେଲେ ଓ ଏହି ସମୟରେ ରୁରାଲ ଡେଭଲପ୍‌ମେଣ୍ଟ ଆଣ୍ଡ୍‌ ସୋସିଆଲ ଓ୍ବାର୍କରେ ଡିଗ୍ରୀ ହାସଲ କରି ୨୦୧୮ରେ ‘ ଫାର୍ମର ପ୍ରଡ୍ୟୁସର କମ୍ପାନୀ’ (ଏଫ୍‌ପିଓ) ଗଠନ କରି ଆଦିବାସୀ କୃଷକଙ୍କ ଆର୍ଥିକ ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ବସ୍ତର, କଙ୍କର ଏବଂ ନାରାୟଣପୁରରେ ୬ ହଜାର କୃଷକଙ୍କୁ ଏଫ୍‌ପିଓ ସହ ଯୋଡ଼ିପାରିଛନ୍ତି। କୃଷକମାନେ କମ୍ପାନୀ ସହ ଅଂଶୀଦାର ରହି କୃଷିରେ ୨୦ରୁ ୩୦ ପ୍ରତିଶତ ଲାଭ ପାଇପାରୁଛନ୍ତି। କୃଷକ ଓ ବଜାର ମଧ୍ୟରେ ମଧ୍ୟସ୍ଥମାନେ ରହୁ ନ ଥିବାରୁ ଏହା ସମ୍ଭବ ହୋଇପାରିଛି।