ଏଇ ଭାରତରେ

ତେଲଙ୍ଗାନାର ଡ. ପ୍ରକାଶ ବେଞ୍ଜାମୁରି ୨୦୦୬ରୁ ‘ଅନ୍ଦରି ଇଲ୍ଲୁ’ ବା ‘ଖୋଲା ଘର’ ଗଠନକରି ଅସହାୟମାନଙ୍କୁ ମୁକ୍ତ ସେବା ଦେଉଛନ୍ତି। ସେମାନଙ୍କ ପାଇଁ ହାଇଦ୍ରାବାଦସ୍ଥିତ ଏହିି ଘରେ ମାଗଣାରେ ଖାଇବା ଓ ରହିବା ବ୍ୟବସ୍ଥା କରାଯାଇଛି। ସେମାନେ ଏଠାରୁ ମାଗଣାରେ ପୋଷାକ ନେଉଛନ୍ତି। ଏହି ଘରେ ଥିବା ଲାଇବ୍ରେରିରେ ହଜାର ହଜାର ବହି ରହିଛି ଓ ଏଠାରୁ ବହି ନେବାର ସୁବିଧା ମଧ୍ୟ କରାଯାଇଛି। ଉକ୍ତ ଘର ବର୍ଷ ସାରା ଖୋଲା ରହେ ଓ ସେଠାକୁ ସକାଳ ୫.୩୦ରୁ ଅପରାହ୍ନ ୧ଟା ମଧ୍ୟରେ ଲୋକେ ଯାଇଥାଆନ୍ତି। ଏହି କାର୍ଯ୍ୟ ଚଳାଇବା ଲାଗି କେହି କେହି ବହି ଦାନ କରୁଛନ୍ତି ତ ଆଉ କିଏ ଖାଦ୍ୟ ଯୋଗାଉଛନ୍ତି। ଡ. ପ୍ରକାଶ ପ୍ରଥମେ ଡାକ୍ତରୀ ଓ ପରେ ହେଲ୍‌ଥ ଆଡ୍‌ମିନିଷ୍ଟ୍ରେଶନରେ ସ୍ନାତକୋତ୍ତର ଡିଗ୍ରୀ ହାସଲକରି ବିଭିନ୍ନ ଏନ୍‌ଜିଓରେ କାର୍ଯ୍ୟ କରିଥିଲେ। ୧୯୯୯ରେ ଚାକିରି ଛାଡ଼ି ଲାଇଫ୍‌ ହେଲ୍‌ଥ ରିଏନ୍‌ଫୋର୍ସମେଣ୍ଟ ଗ୍ରୁପ୍‌(ଲାଇଫ୍‌-ଏଚ୍‌ଆର୍‌ଜି) ଏନ୍‌ଜିଓ ଗଠନ କରି ଶିଶୁ ଓ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ କାର୍ଯ୍ୟ କରିବା ଆରମ୍ଭ କରିବା ପରେ ‘ଅନ୍ଦରି ଇଲ୍ଲୁ’ ଖୋଲିଥିଲେ। ଏଯାବତ ଏଥିରୁ ପ୍ରାୟ ୧ ଲକ୍ଷ ଲୋକ ଉପକାର ପାଇ ସାରିଲେଣି।