୨୦୦ ବର୍ଷ ଧରି ଯାଯାବର ଜୀବନ ବିତାଉଥିବା ଗଢ଼ିଆ ଲୋହାର ସମ୍ପ୍ରଦାୟର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସକାଶେ ଦୀପା ପାଓ୍ବାରଙ୍କ ପ୍ରୟାସ ପ୍ରଶଂସନୀୟ। ୩୩ ବର୍ଷୀୟା ଦୀପା ମଧ୍ୟ ଏହି ସମ୍ପ୍ରଦାୟର ଝିଅ। ସେ ୨୦୧୫ରେ ‘ଅନୁଭୂତି’ ଟ୍ରଷ୍ଟ ଗଠନ କରି ତା’ ମାଧ୍ୟମରେ ଏହି ଲୋକଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ସଚେତନ କରୁଛନ୍ତି। ଗଢ଼ିଆ ଲୋହାରମାନଙ୍କୁ ଅପରାଧୀ ବର୍ଗ ଭାବେ ଗଣାଯାଉଥିଲା। ଏହାକୁ ନେଇ ସେମାନେ ମାନସିକ ସ୍ତରରେ ଦୁର୍ବଳ ରହୁଥିଲେ। ଦୀପା ଏହାର ଇତିହାସ ଜାଣିବା ପରେ ସେମାନଙ୍କ ପାଇଁ ନୂଆ ପରିଚୟ ସୃଷ୍ଟି କରିବାର ସଙ୍କଳ୍ପ ନେଇ ମହାରାଷ୍ଟ୍ରର ୧୫ଟି ଜିଲାରେ ଏହି ଅଭିଯାନ ଚଳାଇଛନ୍ତି। ସେମାନଙ୍କ ପାଇଁ ଘର ଓ ଶିକ୍ଷା ଯୋଗାଇ ଦେଉଛନ୍ତି। ସେମାନେ ରହୁଥିବା ଅଞ୍ଚଳର ନେତା ଓ ପ୍ରଶାସନ ସହ ଯୋଗାଯୋଗ କରି ସେମାନଙ୍କ ସାମାଜିକ ସମସ୍ୟା ଦୂର କରୁଛନ୍ତି। କେବଳ ଏତିକି ନୁହେଁ, ଦୀପା ଓ ତାଙ୍କ ଟିମ୍ ‘ହମ୍ ସମ୍ବିଧାନୀ’ ସାକ୍ଷରତା ଅଭିଯାନ ଚଳାଇ ଜାତି ବିଦ୍ୱେଷ, ଗରିବିର ଶିକାର ହେଉଥିବା ଏହି ସମ୍ପ୍ରଦାୟର ଯୁବତୀଯୁବକମାନଙ୍କୁ ସଶକ୍ତ କରୁଛନ୍ତି।