ଏଇ ଭାରତରେ

ପାଠ ଓ ପରିବାର ବୋଝକୁ ନେଇ ଆଗକୁ ବଢ଼ୁଥିବା କେରଳର ଦୁଇ ଭଉଣୀଙ୍କ ସଂଗ୍ରାମ ଯୁବପିଢ଼ିଙ୍କ ଲାଗି ପ୍ରେରଣାଦାୟକ। ଥିରୁଭାନନ୍ତପୁରମ ଅଟିଙ୍ଗଲର ହରିପ୍ରିୟା ଓ ଶିବପ୍ରିୟା ଚାଷ କରି ପରିବାର ପ୍ରତିପୋଷଣ କରିବା ସହ ସ୍କୁଲ ଫି’ ଦେଉଛନ୍ତି ଓ ପାଠ୍ୟ ଉପକରଣ କିଣୁଛନ୍ତି। କାହା ଉପରେ ନିର୍ଭର ନ କରିବାର ସଂକଳ୍ପ ନେଇ ଦୁଇ ଭଉଣୀ ପ୍ରଥମେ ଘରେ ପ୍ରୋ ବ୍ୟାଗ୍‌ରେ ପରିବା ଚାଷ କରି ତାହାକୁ ସ୍କୁଲରେ ଶିକ୍ଷକମାନଙ୍କୁ ବିକିଥିଲେ। ପରେ ପଡ଼ୋଶୀଙ୍କ କିଛି ଜମିରେ ଚାଷ ଆରମ୍ଭ କରିଥିଲେ। ପିତା ଆର୍ଥିକ ସଂକଟର ସମ୍ମୁଖୀନ ହେବା ପରେ ସେମାନେ ପରିବାର ଚଳାଇବା ସହ ପଢ଼ା ଖର୍ଚ୍ଚ ତୁଲାଇବାକୁ ଜୈବିକ ଚାଷ କରିଥିଲେ। ଏବେ ସେମାନେ ସବୁ ଋତୁରେ ବିଭିନ୍ନ ପରିବା ଚାଷ କରୁଛନ୍ତି। ସକାଳ ୫ଟାରୁ ଚାଷରେ ଲାଗୁଛନ୍ତି ଓ ପରେ ଟାସ୍କ ଶେଷ କରି ସ୍କୁଲ ଯାଉଛନ୍ତି। ସ୍କୁଲରୁ ଫେରି ପୁଣି କ୍ଷେତକୁ ଯାଉଛନ୍ତି। ହରିପ୍ରିୟା ଓ ଶିବପ୍ରିୟ ନିକଟ କୁକୁଡ଼ା ଫାର୍ମରୁ ଖତ ସଂଗ୍ରହ କରି ଚାଷ କରୁଛନ୍ତି। ହରିପ୍ରିୟା ୯ମ ଶ୍ରେଣୀରେ ପଢ଼ୁଛନ୍ତି ଓ ଶିବପ୍ରିୟା ତଳ କ୍ଲାସର ଛାତ୍ରୀ। ହରିପ୍ରିୟା କୃଷି ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଶିବପ୍ରିୟା ସେନାରେ ଯୋଗଦେବାକୁ ଚାହାନ୍ତି। ଦୁହେଁ କେବେ ବି ସ୍କୁଲ ବନ୍ଦ କରିନାହାନ୍ତି। କୃଷି ପ୍ରତି ଦୁଇ ଭଉଣୀଙ୍କ ଏଭଳି ଆଗ୍ରହକୁ ଲକ୍ଷ୍ୟକରି ରାଜ୍ୟ କୃଷି କର୍ମଶାଳାରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।