ଏଇ ଭାରତରେ

ପ୍ରାଣୀଙ୍କ ସେବା ମହତ୍‌ କାର୍ଯ୍ୟ- ଏକଥା ଅନୁଭବ କରିଛନ୍ତି ରାଜସ୍ଥାନର ଗଜରାଜ ସିଂ କଚ୍ଛଓ୍ବା। ସେଥିପାଇଁ ସେ ଜୟପୁରରେ ‘ବେଜୁବାନ୍‌ କି ରୋଷେଇ’ ବା ‘କିଚେନ୍‌ ଫର୍‌ ଦି ଭଏସ୍‌ଲେସ’ ଖୋଲି ହଜାର ହଜାର ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ୫ ବର୍ଷ ହେବ ତାଙ୍କ ଖର୍ଚ୍ଚରେ କୁକୁରମାନଙ୍କୁ ଖାଇବାକୁ ଦେଉଛନ୍ତି। ଲକ୍‌ଡାଉନ ସମୟରେ ସେ ଦୈନିକ ୬୦୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ଖାଇବାକୁ ଦେଉଥିଲେ। ଏବେ କୁକୁୁରଙ୍କ ପାଇଁ ପୋଷକ ଖାଦ୍ୟ ପ୍ରସ୍ତୁତ କରି ତାହାକୁ ପ୍ୟାକ୍‌ କରୁଛନ୍ତି। ପ୍ରଥମରୁ ଏଥିପାଇଁ କିଛି ଦେୟ ଧାର୍ଯ୍ୟ କରି ନ ଥିଲେ ମଧ୍ୟ ଏହି ଅଭିଯାନକୁ ବ୍ୟାପକ କରିବାକୁ ସ୍ବଳ୍ପ ମୂଲ୍ୟରେ ଲୋକଙ୍କୁ ବିକ୍ରି କରୁଛନ୍ତି। ପ୍ରତିଦିନ ଖାଦ୍ୟ ପ୍ରସ୍ତୁତ ହେବା ପରେ ଏହାକୁ ଜୟପୁର ବିବେକ ବିହାର ଷ୍ଟେଶନ ନିକଟସ୍ଥ ଏକ ଷ୍ଟଲରେ ୫ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। ସେଥିରେ ୪୦୦ ଗ୍ରାମର ଭାତ, ପନିର, ସୋୟାବିନ ଓ ଅଣ୍ଡା ରଖାଯାଉଛି। ଲୋକମାନେ ଏହି ମୂଲ୍ୟରେ ଖାଦ୍ୟ କିଣି ବୁଲା କୁକୁରଙ୍କୁ ଦେଉଛନ୍ତି ଓ ନିଜ ପୋଷା କୁକୁରଙ୍କ ପାଇଁ ମଧ୍ୟ ନେଉଛନ୍ତି। ଏଥିରୁ ଯାହା ରୋଜଗାର ହେଉଛି କଚ୍ଛଓ୍ବା ତାହାକୁ ରୋଷେଇ ଓ ପ୍ୟାକେଟ ଖର୍ଚ୍ଚରେ ଲଗାଉଛନ୍ତି। କଚ୍ଛଓ୍ବାଙ୍କୁ ଏକ ସ୍ଥାନୀୟ କ୍ଲବ ସହଯୋଗ କରିବା ସହ ପ୍ରତିଦିନ ବୁଲାକୁକୁରଙ୍କୁ ନେଇ ଖାଇବାକୁ ଦେଉଛନ୍ତି।