ଏଇ ଭାରତରେ

ଦିବ୍ୟାଙ୍ଗ ପିଲାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ବର୍ତ୍ତମାନ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ପୁଡୁଚେରୀର ଡ. ଭୁବନା ବାସୁଦେବନ୍‌। ମାତାପିତା ଏପରିକି ଶିକ୍ଷକମାନେ ଅଣଦେଖା କରୁଥିବା ମାନସିକ ଅନଗ୍ରସର ପିଲାମାନଙ୍କୁ ଖୋଜି ସେମାନଙ୍କୁ ଶିକ୍ଷା ଦେଉଛନ୍ତି ଡ. ଭୁବନା । ତାଙ୍କ ଉଦ୍ୟମରେ ଏବେ ହଜାର ହଜାର ପିଲା ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ସେମାନଙ୍କ ସାମର୍ଥ୍ୟ ପ୍ରତିପାଦିତ କରିପାରିଛନ୍ତି। ସେ କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ବତନ୍ତ୍ର ପ୍ରଶିକ୍ଷକ ଏବଂ ଥେରାପିଷ୍ଟ ଭାବେ କାର୍ଯ୍ୟ କରୁଥିବା ସମୟରେ ଘରେ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାରେ ଜଡ଼ିତ ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ଏଥିରେ ସେମାନଙ୍କର ମାନସିକ ଓ ବୌଦ୍ଧିକ ବିକାଶ ହେବା ଲକ୍ଷ୍ୟ କରି ଅଭିଭାବକମାନେ ଏକ ସ୍କୁଲ ଖୋଲିବା ପାଇଁ ତାଙ୍କୁ କହିଥିଲେ। ୧୯୯୮ରେ ସେ ଥାନ୍‌ଥାଇ ପେରିୟାର ନଗରରେ ‘ବ୍ରିଜେସ ଲର୍ନିଂ ବିଦ୍ୟାଳୟ’ ଖୋଲି ଡାଇଲେକ୍ସିଆ, ଏଡିଏଚ୍‌ଡି (ଆଟେନ୍‌ଶନ ଡେଫିସିଟି ହାଇପର୍‌ଆକ୍ଟିଭ ଡିଜ୍‌ଅର୍ଡର), ଅଟିଜମ୍‌ ଏବଂ ଅନ୍ୟ ଶାରୀରିକ ତଥା ମାନସିକ ସମସ୍ୟାରେ ଥିବା ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ବିଭିିନ୍ନ ଅଞ୍ଚଳରୁ ଏଭଳି ବହୁ ପିଲା ସ୍କୁଲରେ ଯୋଗଦେବାରେ ଲାଗିଲେ। ପୋଲିସ ମଧ୍ୟ ବହୁ ପିଲାଙ୍କ ସମ୍ପର୍କରେ ସୂଚନା ଦେଇ ତାଙ୍କୁ ସାହାଯ୍ୟ କରୁଛି। ଏବେ ପ୍ରଥମରୁ ଦ୍ୱାଦଶଯାଏ ପିଲା ପଢୁଛନ୍ତି। ଏଯାବତ୍‌ ୬୦୦୦ରୁ ଊର୍ଦ୍ଧ୍ୱ ପିଲା ଏଥିତ୍ରେ ଉପକୃତ ହୋଇସାରିଲେଣି।