ଏଇ ଭାରତରେ

ମିଳିତ ଉଦ୍ୟମରେ ପଞ୍ଜାବର ୨୫ ଜଣ ଯୁବକ ୨୦ଟି ମିନିଫରେଷ୍ଟ ବା କ୍ଷୁଦ୍ର ଜଙ୍ଗଲ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପଟିଆଲା ଜିଲାର ଘାଗା ଗାଁର ଏହି ଯୁବକମାନେ ୨୦୧୭ରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲେ। ସେମାନେ ନିଜ ଭିତରେ ଟଙ୍କା ଆଦାୟ କରି ୨୫ଟି ଚାରା କିଣି ପ୍ରଥମେ ପଡ଼ିଆ ଚାରିପାଖରେ ଲଗାଇବା ପରେ ଆଗକୁ ବଢ଼ିଥିଲେ। ଯୁବକମାନେ ବୃକ୍ଷରୋପଣ ଅଭିଯାନର ନାମ ରଖିଛନ୍ତି ‘ଗ୍ରୀନ୍‌ ଘାଗା’। ଏହାର ନେତୃତ୍ୱ ନେଉଛନ୍ତି ଗୋଲ୍ଡି ସିଂ। ସେ କମ୍ପ୍ୟୁଟର ଆପ୍ଲିକେଶନରେ ଡିଗ୍ରୀ ହାସଲ କରିଛନ୍ତି। ଗୋଲ୍ଡି ଓ ତାଙ୍କ ଟିମ୍‌ର ଉତ୍ସାହକୁ ଲକ୍ଷ୍ୟ କରି ଏବେ ଏହି ଅଭିଯାନରେ ବିଭିନ୍ନ ଗାଁରୁ ୨୦୦ ସ୍ବେଚ୍ଛାସେବୀ ଯୋଗ ଦେଇସାରିଲେଣି। ‘ଗ୍ରୀନ୍‌ ଘାଗା’ର କାର୍ଯ୍ୟକଳାପ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ହ୍ବାଟ୍ସଆପ ଓ ଫେସ୍‌ବୁକ୍‌ ଗ୍ରୁପ୍‌ ଖୋଲାଯାଇଛି। ଏବେ ଏହି ଯୁବକମାନେ ୨୫ଟି ଗାଁରେ ୨୦ଟି ମିନିଫରେଷ୍ଟ ସହ ୧୦ଟି ପାର୍କ କରିସାରିଲେଣି। ମୋଟ୍‌ରେ ଏହି ଅଭିଯାନରେ ସେମାନେ ୭,୦୦୦ ଗଛ ଲଗାଇଛନ୍ତି। ଯୁବକମାନଙ୍କ ଇଚ୍ଛାଶକ୍ତିକୁ ଲକ୍ଷ୍ୟକରି ପ୍ଲାଣ୍ଟ ଫର ପଞ୍ଜାବ ଆଣ୍ଡ୍‌ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ଫାଉଣ୍ଡେସନ ସହାୟତାର ହାତ ବଢ଼ାଇଛି। ଏହି ସଂସ୍ଥା ‘ଗ୍ରୀନ୍‌ ଘାଗା’କୁ ଗଛ ଓ ପାଣି ଦେବା ଲାଗି ଟ୍ୟାଙ୍କର ଯୋଗାଇ ଦେଇଛି। ସେମାନେ ପ୍ରତି ଗାଁରେ ଗଛର ଯତ୍ନ ନେବା ଓ ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ଏକ ଗ୍ରୁପ ଗଠନ କରୁଛନ୍ତି। ଗ୍ରୁପ୍‌ର ସଦସ୍ୟମାନେ ସ୍ଥାନୀୟ ଜଙ୍ଗଲର ଦାୟିତ୍ୱ ନେଉଛନ୍ତି।