ଏଇ ଭାରତରେ

ଦିଲ୍ଲୀ ନିବାସୀ ଉଷା ଗୁପ୍ତାଙ୍କ ବୟସ ୮୮ ଛୁଇଁଲାଣି। ପରିଣତ ବୟସରେ ଗରିବଙ୍କ ସେବା ମନସ୍କତା ତାଙ୍କୁ ନିଆରା ପରିଚୟ ଦେଇଛି। ଏବେ ସେ ଆଚାର ବିକ୍ରିକରି ସେମାନଙ୍କ ସେବା ପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି ଓ ଅସହାୟ ଗରିବଙ୍କୁ ଖାଇବାକୁ ଦେଉଛନ୍ତି। ଏବେ ସୁଦ୍ଧା ସେ ୬୫,୦୦୦ ଏଭଳି ଲୋକଙ୍କୁ ଖାଇବାକୁ ଦେଇସାରିଲେଣି। ଉଷା ଓ ତାଙ୍କ ସ୍ବାମୀ ରାଜକୁମାର କୋଭିଡ୍‌-୧୯ ମହାମାରୀରେ ଆକ୍ରାନ୍ତ ହୋଇଥିଲେ ଓ ପରେ ରାଜଙ୍କ ଦେହାନ୍ତ ହୋଇଥିଲା। ମହାମାରୀ ସମୟରେ ଲୋକଙ୍କ କଷ୍ଟମୟ ଜୀବନକୁ ଦେଖି ସେମାନଙ୍କୁ ସାହାଯ୍ୟ କରିବାକୁ ଉଷା ନିଷ୍ପତ୍ତି ନେଇଥିଲେ। ସେ ତାଙ୍କ ନାତୁଣୀ ଡ. ରାଧିକା ବାତ୍ରାଙ୍କ ସହଯୋଗରେ ‘ପିକଲ୍ଡ ଓ୍ବିଥ୍‌ ଲଭ୍‌’ ସଂସ୍ଥା ଗଠନ ସହ ଆଚାର ଓ ଚଟଣି ତିଆରି କରି ବିକ୍ରି ଆରମ୍ଭ କରିଥିଲେ। ସେଥିରୁ ଯାହା ଆୟ ହେଲା ତାହାକୁ ସେ ଗରିବଙ୍କ ସେବାରେ ଲଗାଇଲେ ଓ ଏଯାବତ୍‌ ତାହା କରିଆସୁଛନ୍ତି। କେବଳ ଏତିକି ନୁହେଁ, ସେ କୋଭିଡ୍‌-୧୯ରେ ପ୍ରଭାବିତ ପରିବାରକୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି।