ବୟସ ୬ ଛୁଇଁବା କ୍ଷଣି ସବୁକିଛି ଓଲଟପାଲଟ ହୋଇଗଲା। ଓଷ୍ଟ୍ରିଓଜେନେସିସ୍ ଇମ୍ପରଫେକ୍ଟା(ଏକପ୍ରକାର ଅସ୍ଥିଗତ ସମସ୍ୟା)ରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହେଲେ ବାରାଣସୀର ଶ୍ୱେତା ମୟୂର। ସେବେଠୁ ଆଉ ସେ ଶଯ୍ୟାରୁ ଉଠିପାରୁନାହାନ୍ତି, ହେଲେ ଦେଶର ବିଭିନ୍ନ ଅଞ୍ଚଳରେ ଅସହାୟ ଓ ଆହତ ପ୍ରାଣୀମାନଙ୍କ ଉଦ୍ଧାର କାର୍ଯ୍ୟ ସଞ୍ଚାଳନ କରୁଛନ୍ତି। ଆସ୍ଥା ଲଭିଂ କାଇଣ୍ଡ୍ନେସ୍ ଆଣ୍ଡ୍ କମ୍ପାଶନ୍ (ଏଏଲ୍କେସି) ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଶ୍ୱେତାଙ୍କ ବୟସ ଏବେ ୩୫। ସେ ଡାକ୍ତର ହେବା ସ୍ବପ୍ନ ଦେଖିଥିଲେ ବି ରୋଗ ଯୋଗୁ ସମ୍ଭବ ହୋଇପାରିଲା ନାହିଁ। ୨୦୧୨ରେ ଯେତେବେଳେ ତାଙ୍କ ଭାଇ ଏକ ଫେସ୍ବୁକ ଆକାଉଣ୍ଟ ଖୋଲିଦେଲେ ସେତେବେଳେ ସେ ‘ଆଡପ୍ଟ ଏ ପେଟ୍’ ପେଜ୍ ଦେଖିଲେ। ସେଥିରେ ଏକ କୁକୁରକୁ ନିର୍ମମ ଭାବେ ବାଡ଼ାଯାଉଥିବା ଦୃଶ୍ୟ ଦେଖି ଫେସ୍ବୁକ୍ର ଅନ୍ୟ ଗ୍ରୁପ୍ ସହ ଯୋଗାଯୋଗ କରି ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ। ଏହା ଥିଲା ତାଙ୍କର ପ୍ରଥମ ଉଦ୍ଧାର କାର୍ଯ୍ୟ। ପରେ ସେ ଏଏଲ୍କେସି ଗଠନ କରି ପ୍ରାଣୀ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଶ୍ୱେତା ହଜାର ହଜାର ଆହତ ପ୍ରାଣୀଙ୍କୁ ଉଦ୍ଧାର କରିବା ସହ କୁକୁରଙ୍କ ପାଇଁ ଏକ ସୁରକ୍ଷିତ ଘର ନିର୍ମାଣ କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ଜଡ଼ିତ ୧୦୦ ଗ୍ରୁପ୍ ସହ ଯୋଗାଯୋଗ ସ୍ଥାପନ କରି ଏହା କରୁଛନ୍ତି।