ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ଲାଗି ସ୍ବେରେଜ ଜଳ ଟ୍ରିଟ୍‌ମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଦିଲ୍ଲୀର ସ୍ମିତା ସିଂଘଲ ଏ କ୍ଷେତ୍ରରେ କେଇପାଦ ଆଗକୁ ବଢ଼ିଛନ୍ତି। ସେ ସ୍ବେରେଜ ଜଳକୁ ଶୁଦ୍ଧ ଜଳରେ ପରିଣତ କରୁଛନ୍ତି। ଏଥିଲାଗି ‘ଆବ୍‌ସଲ୍ୟୁଟ ଓ୍ବାଟର ପ୍ରାଇଭେଟ୍‌ ଲିମିଟେଡ’ ପ୍ରତିଷ୍ଠା କରିଛନ୍ତି। ଉକ୍ତ କମ୍ପାନୀର ସୌରଚାଳିତ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଦ୍ୱାରା ଦିନକୁ ୧ ଲକ୍ଷ ଲିଟର ସ୍ବେରେଜ ଜଳକୁ ଶୁଦ୍ଧ ଜଳରେ ପରିଣତ କରାଯାଉଛି। ସ୍ବେରେଜ ଜଳରୁ ପ୍ରାପ୍ତ ଶୁଦ୍ଧ ଜଳକୁ ପିଇବା ଓ ରୋଷେଇ ପାଇଁ ବ୍ୟବହାର କରାଯାଉଛି। ଘରୋଇ, ଡ୍ରେନ୍‌, ଶିଳ୍ପ ସ୍ବେରେଜ, ସ୍ପ୍ରେ ପଣ୍ଡ୍‌ ଓ ରୋଷେଇ ଘରର ବ୍ୟବହୃତ ପାଣିକୁ ଟ୍ରିଟ୍‌ମେଣ୍ଟ କରାଯାଉଛି। ସୌରଚାଳିତ ଏହି ପ୍ଲାଣ୍ଟରେ ଖୁବ୍‌ କମ୍‌ ଶକ୍ତି ଲାଗୁଛି ଓ ଏହା ଦ୍ୱାରା ଖର୍ଚ୍ଚ ମଧ୍ୟ କମ୍‌ ହେଉଛି। ସାଧାରଣ ସ୍ବେରେଜ ଟ୍ରିଟ୍‌ମେଣ୍ଟ ତୁଳନାରେ ଏହାର ଖର୍ଚ୍ଚ ଏକପଞ୍ଚମାଂଶ ରହୁଛି। ଦେଶର ସବୁ ବଡ଼ ସହରରେ ପର୍ଯ୍ୟାପ୍ତ ସ୍ବେରେଜ ଜଳକୁ ଟ୍ରିଟ୍‌ମେଣ୍ଟ କରାଯାଇପାରିଲେ ଦେଶରେ ଜଳ ସଙ୍କଟ ବହୁମାତ୍ରାରେ କମ୍‌ ହୋଇପାରିବ ବୋଲି କହିଛନ୍ତି ସ୍ମିତା।