ଏଇ ଭାରତରେ

ହାଇଡ୍ରୋପୋନିକ୍‌ ଫାର୍ମିଂ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ଏହି ପଦ୍ଧତିରେ ବିନା ମାଟିରେ କେବଳ ପାଣିରେ ହିଁ ଚାଷ କରାଯାଉଛି। ଏବେ ବିନା ମାଟିରେ ଝୁଲନ୍ତା ଅବସ୍ଥାରେ ଆଳୁ ଫଳାଇପାରିବେ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ଭବ ହେଉଛି ଏରୋପୋନିକ୍‌ ଫାର୍ମିଂ ଦ୍ୱାରା। ହରିୟାଣା କର୍ନଲ ଜିଲାରେ ଥିବା ପଟାଟୋ ଟେକ୍‌ନୋଲୋଜି ସେଣ୍ଟର ବିନା ମାଟିରେ ଏରୋପୋନିକ୍‌ ପଦ୍ଧତିରେ ଆଳୁ ଫଳାଇବାର ଏଭଳି ବାଟ ଦେଖାଇଛି। ଏହି ପଦ୍ଧତିରେ ଆଳୁଗଛ ଉପରେ ରହୁଥିବାବେଳେ ତଳକୁ ଝୁଲି ରହେ ଚେର । ଗଛ ଓ ଚେରରେ ମିନେରାଲ୍‌ସ ଯୁକ୍ତ ପାଣି ସ୍ପ୍ରେ କରାଯାଏ, ଯେଉଁଥିରୁ ଗଛ ନ୍ୟୁଟ୍ରିଏଣ୍ଟ ସଂଗ୍ରହ କରି ବଢ଼େ କିମ୍ବା ଚେର ସର୍ବନିମ୍ନ ଭାଗକୁ ଜଳସ୍ରୋତ ସହ ସ୍ପର୍ଶ କରାଯାଇଥାଏ। ଝୁଲନ୍ତା ଚେରରେ ହିଁ ଆଳୁ ଫଳୁଛି। ଏରୋପୋନିକ୍‌ ଫାର୍ମିଂରେ ୭୦-୮୦ ଦିନ ମଧ୍ୟରେ ଆଳୁ ଅମଳ ହେଉଛି। ବନ୍ଦ ପରିବେଶରେ ଏଭଳି ଆଳୁ ଚାଷ କରାଯାଉଛି। ଏରୋପୋନିକ୍‌ରେ କମ୍‌ ଖର୍ଚ୍ଚରେ ପାରମ୍ପରିକ ପଦ୍ଧତି ତୁଳନାରେ ଅଧିକ ଅମଳ ହେବା ସହ କମ୍‌ ଜଳ ଓ ସଂସାଧନ ମଧ୍ୟ ଆବଶ୍ୟକ ହେଉଛି।