ଏଇ ଭାରତରେ

ନିଜସ୍ବ ଉଦ୍ୟମରେ ରୋଜଗାର କରି ଗାଁର ବିକାଶରେ ବ୍ୟୟ କରୁଥିବା ମେଘାଳୟର ଲେଲ୍ୟାଣ୍ଡ ମରାକ୍‌ ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଛନ୍ତି। ତାଙ୍କୁ ବୟସ ୪୯। ରହୁଛନ୍ତି ଓ୍ବେଷ୍ଟଗାରୋ ହିଲ୍ସର ଗାନୋଲ୍‌ଗ୍ରେ ଗାଁରେ। ସେ ଗାଁ ଲୋକଙ୍କ ମାଧ୍ୟମରେ ଆଲୋଭେରା ବା ଘିକୁଆଁରୀ ଚାଷ କରାଉଛନ୍ତି। ଏଥିରୁ ଯାହା ଲାଭ ହେଉଛି ତାହାକୁ ଗାଁର ରାସ୍ତା ଓ ପାଇଖାନା ନିର୍ମାଣରେ ବ୍ୟୟ କରୁଛନ୍ତି। ଲେଲ୍ୟାଣ୍ଡ ୧୯୯୫ରୁ ଜେଙ୍ଗ୍‌ଜାଲ ପ୍ରାଥମିକ ସ୍କୁଲରେ ଶିକ୍ଷକ ରହି ମଧ୍ୟ ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରିଛନ୍ତି। ସେ ୭୮ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ସେମାନଙ୍କ ସହଯୋଗରେ ଆଲୋଭେରା ପ୍ରୋସେସିଂ ୟୁନିଟ୍‌ ପ୍ରତିଷ୍ଠା କରିଛନ୍ତି। ସେମାନେ ସାବୁନ ଓ ଜେଲ୍‌ ଆଦି ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ପ୍ରଥମରୁ ଏସ୍‌ଏଚ୍‌ଜିର ଆୟ ବାର୍ଷିକ ୭ ଲକ୍ଷ ଥିବାବେଳେ ୨୦୧୯ରେ ଏହା ୨୦ ଲକ୍ଷ ଲାଭ କରିପାରିଛି। ଏହି ଟଙ୍କାରେ ପ୍ରତି ଘରେ ପାଇଖାନା ଏବଂ ଗାଁ ରାସ୍ତା ଓ କଲର୍ଭଟ ନିର୍ମାଣ ହେଉଛି। ଲେଲ୍ୟାଣ୍ଡ୍‌ ଗ୍ରାମବାସୀଙ୍କୁ ପଶୁପାଳନ, ମାଛଚାଷ ଓ ଜୈବିକକୃଷି ଉପରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରିଛନ୍ତି।