ଏଇ ଭାରତରେ

ଜଳ ଚିନ୍ତାରେ ସଦାମଗ୍ନ ମଣିକନ୍ଦନ ଆର.। ତାମିଲନାଡୁ କୋଏମ୍ବାଟୁର୍‌ର ଏହି ପରିବେଶକର୍ମୀ ଏବେସୁଦ୍ଧା ୫ ପୁଷ୍କରିଣୀ, ୪ ହ୍ରଦ ଏବଂ ୩ କେନାଲ ପୁନରୁଦ୍ଧାର କରିସାରିଲେଣି। କୋଏମ୍ବାଟୁର୍‌ର ସୁନ୍ଦରପୁରମ୍‌ରେ ଜନ୍ମିତ ମଣିକନ୍ଦନ ଆର୍ଥାଭାବ ଯୋଗୁ ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ିବା ପରେ ଦୀର୍ଘ ୨୦ ବର୍ଷ ହେଲା ସାମାଜିକ କାର୍ଯ୍ୟରେ ନିଜକୁ ଜଡ଼ିତ ରଖିଛନ୍ତି। ଏହି କାର୍ଯ୍ୟ ଭିତରେ ୨୦୧୭ରେ ସେ କୋଏମ୍ବାଟୁର୍‌ରେ ଥିବା ପରିତ୍ୟକ୍ତ ଜଳାଶୟଗୁଡ଼ିକୁ ପୁନର୍ଜୀବନ ଦେବା ବିଷୟ ଚିନ୍ତା କରିଥିଲେ। ପୁନରୁଦ୍ଧାର ଲାଗି ‘କୋଭାଇ କୁଲାଙ୍ଗା ପାଦୁକାପ୍ପୁ ଅମାୟିପ୍ପୁ’ ବା କୋଏମ୍ବାଟୁର ପୁଷ୍କରିଣୀ ସୁରକ୍ଷା ସଂଗଠନ ଗଢ଼ିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୪ ଜଣିଆ ଟିମ୍‌ ଗଢ଼ି ସେ ଜଳାଶୟ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ତାଙ୍କ ସଂଗଠନରେ ୧୦୦ ସକ୍ରିୟ ସଦସ୍ୟ ରହିଛନ୍ତି। ସେ ପ୍ରଥମେ କୋଏମ୍ବାଟୁରର ପେରୁର୍‌ ହ୍ରଦ ପୁନରୁଦ୍ଧାର କାର୍ଯ୍ୟ କରିଥିଲେ। ପରେ ଅନ୍ୟ ୩ ହ୍ରଦ, ୫ ପୁଷ୍କରିଣୀ, ୩ କେନାଲର ପୁନରୁଦ୍ଧାର ଶେଷ କରିଛନ୍ତି। ମୋଟ ସେ ଏହିସବୁ ଜଳାଶୟରୁ ୧୫୦ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟ ପରିଷ୍କାର କରିଛନ୍ତି। ତେବେ କୋଏମ୍ବାଟୁର୍‌ରେ ୯୦୦ରୁ ଊର୍ଦ୍ଧ୍ୱ ପୁଷ୍କରିଣୀ ରହିଛି ଓ ସେଗୁଡ଼ିକ ସମୟକ୍ରମେ ସଫା କରାଯିବ ବୋଲି କହିଛନ୍ତି ୩୯ ବର୍ଷୀୟ ମଣିକନ୍ଦନ। କେବଳ ଏତିକି ନୁହେଁ ସେ ଓ ତାଙ୍କ ଟିମ୍‌ ୧୦, ୦୦୦ ଗଛ ଲଗାଇସାରିଛନ୍ତି। ପ୍ରଜାପତି, ମହୁମାଛି ଓ ଭଅଁରଙ୍କ ପାଇଁ ୪୦ ପ୍ରକାର ଫୁଲଗଛ ଲଗାଇ ଏକ ବଟର୍‌ଫ୍ଲାଏ ଗାର୍ଡେନ କରିଛନ୍ତି।