ଏଇ ଭାରତରେ

ଲୁହା ପୋଲ ଚୋରି ହେବା ଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ବିହାରର ରୋହତାସ ଜିଲାରେ। ଚୋରମାନେ ନକଲି ଜଳସେଚନ ଅଧିକାରୀ ବୋଲି ପରିଚୟ ଦେଇ ୬୦ ଫୁଟ ଲମ୍ବ ୧୨ ଫୁଟ ଉଚ୍ଚା ଏବଂ ୫୦୦ ଟନ ଓଜନର ଲୁହା ପୋଲକୁ ତିନି ଦିନ ମଧ୍ୟରେ ଚୋରାଇ ନେଇଛନ୍ତି। ବଡ଼ କଥା ହେଲା, ଚୋରମାନେ କିଛି ଜଳସେଚନ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ପୋଲ କାଟି ଗାଡ଼ିରେ ଭର୍ତ୍ତି କରି ଚୋରି କରି ନେଇଥିଲେ। ଏହି ଲୁହା ପୋଲ ନାସିରଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳର ଅମିଆବର୍‌ରେ ୫୦ ବର୍ଷ ତଳେ ଆରା କେନାଲ ଉପରେ ନିର୍ମାଣ କରାଯାଇଥିଲା। ଚୋରମାନେ ପୋଲ କାଟିବା ପାଇଁ ବୁଲ୍‌ଡୋଜର, ଗ୍ୟାସ୍‌ କଟର ମଧ୍ୟ ବ୍ୟବହାର କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଚୋରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଗ୍ରାମବାସୀମାନେ ବହୁ ବର୍ଷ ଧରି ଏହି ପୁରୁଣା ଲୁହା ପୋଲକୁ ହଟାଇବା ପାଇଁ ଆବେଦନ କରିଥିଲେ। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିଲା। ହେଲେ ଚୋରମାନେ ଏହାର ସୁଯୋଗ ନେଇ ଆରାମରେ ନିଜ କାମ କରିଥିଲେ।