ଏଇ ଭାରତରେ

ବେଙ୍ଗାଲୁରୁର ରଚନା ବୋଡାଗୁଙ୍କ ନିଷ୍ଠା ଓ ଇଚ୍ଛାଶକ୍ତି ତାଙ୍କୁ ଏକ ଭିନ୍ନ ପରିଚୟ ଆଣିଦେଇଛି। ସେ ଏକାଦଶ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ସୋଲାର ସାଇକେଲ୍‌ କୃଷକମାନଙ୍କୁ କ୍ଷେତରେ ପାଣି ମଡ଼ାଇବାରେ ସାହାଯ୍ୟ କରୁଛି। ସେଥିରେ ମୋଟର ସିଷ୍ଟମ ରହିଛି ଓ କୌଣସି ଇନ୍ଧନ ବା ବିଦ୍ୟୁତ୍‌ ଆବଶ୍ୟକ ପଡ଼ୁନାହିଁ, କେବଳ ସୌରଶକ୍ତିରେ ଚାଲୁଛି। ରଚନା ତାଙ୍କ ଦିଗ୍‌ଦର୍ଶକ ତଥା ଜଳଯୋଦ୍ଧା ଆନନ୍ଦ ମଲିଗାଭଦ୍‌ଙ୍କ ସହ ଏକାଠି ବେଙ୍ଗାଲୁରୁର କୋମାସାନ୍ଦ୍ରା ହ୍ରଦର ପୁନରୁଦ୍ଧାର କାର୍ଯ୍ୟ କରୁଛନ୍ତି। ହ୍ରଦ ଚାରିପାଖରେ ସେମାନେ ୨,୦୦୦ ଗଛ ମଧ୍ୟ ଲଗାଇଛନ୍ତି। ଗଛରେ ନିୟମିତ ପାଣି ଦେବା ଏକ କଷ୍ଟକର କାର୍ଯ୍ୟ ହୋଇଥିବାରୁ ରଚନା ଏହାର ସମାଧାନ ଲାଗି ତାଙ୍କୁ ସୋଲାର ସାଇକେଲ ପ୍ରସ୍ତୁତ କରିବାକୁ ପଡ଼ିଲା। ସୋଲାର ସାଇକେଲ ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ। ଏହି ସାଇକେଲରେ ସୋଲାର ପ୍ୟାନେଲ ଖଞ୍ଜା ହୋଇଛି। ଏହାକୁ ନିର୍ମାଣ କରିବା ସକାଶେ ରଚନା ତାଙ୍କ ପକେଟରୁ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା କିଭଳି ଶସ୍ତା ହେବ ଓ ଅଧିକରୁ ଅଧିକ କୃଷକ ବ୍ୟବହାର କରିପାରିବେ ସେଥିପାଇଁ ସେ ପ୍ରୟାସ କରୁଛନ୍ତି।