ଏଇ ଭାରତରେ

ନଡ଼ାପୋଡ଼ି ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଥିବାବେଳେ ଏହାର ସମାଧାନ ଲାଗି ଦୁଇଜଣଙ୍କ ପ୍ରଚେଷ୍ଟା ବେଶ୍‌ ପ୍ରଶଂସନୀୟ। ପୁଣେର ସୁହାସ ବକ୍ସି ଏବଂ ଅଶ୍ୱିନୀ ସାଭେ ବାୟୋମାସ ଏବଂ ଏହା ସହ ଜଡ଼ିତ ବିଭିନ୍ନ ଜିନିଷ ଲାଗି ଏକ ଅନ୍‌ଲାଇନ ମାର୍କେଟ ‘ବାୟୋଫୁଏଲ ସର୍କଲ’ ଖୋଲିଛନ୍ତି। ଏହାଦ୍ୱାରା ସେମାନେ ନଡ଼ା ଅବଶେଷ ସଂଗ୍ରହ କରୁଛନ୍ତି। ଫଳରେ କୃଷକମାନେ ଏହି ମାକେର୍ଟ ସହ ଯୋଡ଼ି ହୋଇ ସେମାନଙ୍କ ନଡ଼ା ଅବଶେଷାଂଶ ବିକ୍ରି କରୁଛନ୍ତି। ଏଣୁ ନଡ଼ାପୋଡ଼ି ଅନେକ ମାତ୍ରାରେ କମାଯାଇପାରିଛି। ବକ୍ସି ଓ ସାଭେ ଏଥିରୁ ସବୁଜ ଶକ୍ତି ଉପତ୍ାଦନ କରିବାକୁ ସକ୍ଷମ ହୋଇଛନ୍ତି ଓ ଗ୍ରାମୀଣ କୃଷକମାନଙ୍କୁ ଶିଳ୍ପଭିତ୍ତିକ ଉପତ୍ାଦକମାନଙ୍କ ସହ ଯୋଡ଼ୁଛନ୍ତି। ଦୁହେଁ ୨୦୨୦ରେ ଏହି କମ୍ପାନୀ ଖୋଲିବା ପରେ ଏବେ ସୁଦ୍ଧା ୨୫,୦୦୦ ମେଟ୍ରିକ ଟନ୍‌ ନଡ଼ା ଅବଶେଷ ସଂଗ୍ରହ କରିସାରିଛନ୍ତି। ପାଖାପାଖି ଏକ ଡଜନ ଫାର୍ମର୍ସ ପ୍ରଡ୍ୟୁସର୍ସ ଅର୍ଗାନାଇଜେଶନ (ଏଫ୍‌ପିଓ) ଦ୍ୱାରା ଉକ୍ତ କୃଷି ବର୍ଜ୍ୟ ସଂଗ୍ରହ ହେଉଛି ଓ ସେଠାରେ ତାହାକୁୁ କମ୍ପ୍ରେସ କରାଯାଇ ବାୟୋମାସ୍‌ ବ୍ରିକ୍ୟୁଟି (ଇଟା ଆକାରର ଅଙ୍ଗାର ବା କୋଇଳା ଇନ୍ଧନ) କରାଯାଉଛି। ପରେ ଏଗୁଡ଼ିକୁ ବିଭିନ୍ନ ଶିଳ୍ପକେନ୍ଦ୍ରକୁ ପଠାଯାଉଛି। ‘ବାୟୋଫୁଏଲ ସର୍କଲ’ କୃଷକମାନଙ୍କଠାରୁ ଏହା ଆଣିବା ପରେ ସେମାନଙ୍କୁ ଏହା ବଦଳରେ ଜୈବିକ ସାର ଯୋଗାଉଛି। ଏବେ ୧,୫୦୦ କୃଷକ ଏହି ଡିଜିଟାଲ ପ୍ଲାଟ୍‌ଫର୍ମ ବ୍ୟବହାର କରୁଛନ୍ତି। ଏହା ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଗୁଜରାଟରେ କାର୍ଯ୍ୟ କରୁଛି। ଏହି ପ୍ଲାଟ୍‌ଫର୍ମକୁ ଭାରତର ଅନ୍ୟ ରାଜ୍ୟକୁ ସମ୍ପ୍ରସାରିତ କରାଯିବ ବୋଲି କହିଛନ୍ତି ସୁହାସ ବକ୍ସି।