ଏଇ ଭାରତରେ

ଗୁଜରାଟ ହାଇକୋର୍ଟ ଏକ ନିଆରା ନିର୍ଦ୍ଦେଶ ଦେଇଛନ୍ତି। ଜଣେ ବିବାହିତ ବ୍ୟକ୍ତି ଯୁବତୀଙ୍କୁ ସାଙ୍ଗରେ ନେଇ ଫେରାର ହୋଇ ଯାଇଥିଲେ। ତାଙ୍କୁ ଖୋଜିବା ପାଇଁ ପୋଲିସକୁ ସାତ ମାସ ସମୟ ଲାଗିଥିଲା। ଏହି ଅବଧି ମଧ୍ୟରେ ସରକାରୀ ରାଜକୋଷରୁ ଖର୍ଚ୍ଚ ହୋଇଥିବା ଟଙ୍କାର ଅଧାକୁ ବର୍ତ୍ତମାନ ସେହି ବ୍ୟକ୍ତିଙ୍କୁ ପୈଠ କରିବାକୁ ପଡ଼ିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ରାଘଭାଇ ପାରମାର ନାମଧାରୀ ବିବାହିତ ବ୍ୟକ୍ତି ୨୦୨୧ ମେ’ରେ ରାଜକୋଟ ସହରର ଜଣେ ୨୦ ବର୍ଷ ବୟସ୍କା ଯୁବତୀଙ୍କୁ ନେଇ କେଉଁ ଆଡ଼େ ଚାଲି ଯାଇଥିଲେ। ଯୁବତୀଙ୍କ ପିତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୋଲିସ ସେମାନଙ୍କୁ ଖୋଜିବା ଆରମ୍ଭ କରିଥିଲା। ସାତମାସ ପରେ ଯେତେବେଳେ ସେମାନଙ୍କୁ ଚିହ୍ନଟ କରାଯାଇଥିଲା, ଯୁବତୀ ଜଣଙ୍କ ନିଜର ମାତାପିତାଙ୍କ ନିକଟକୁ ଫେରି ଆସିଥିଲେ। ହାଇକୋର୍ଟ ଜାଣିବାକୁ ପାଇଥିଲେ ଯେ ସମ୍ପୃକ୍ତ ବ୍ୟକ୍ତି ଜଣକ ପୂର୍ବରୁ ବିବାହ କରି ସାରିଛନ୍ତି। ରାଜକୋଟ ପୋଲିସ କୋର୍ଟଙ୍କୁ ସୂଚନା ଦେଇଥିଲେ ଯେ ସାତମାସର ତଦନ୍ତରେ ପୋଲିସ ୧୭, ୭୧୦ ଘଣ୍ଟା ଉଭୟଙ୍କୁ ଖୋଜିବାରେ ବିତାଇଛି। ଏଥିରେ ମୋଟ ୪୨,୫୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିସହ ହାଇକୋର୍ଟରେ ହାଜର ହେବା ପାଇଁ ପ୍ରାୟ ୭୫,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଯୁବତୀଙ୍କୁ ଫେରାଇ ଆଣିବା ପାଇଁ ଏଭଳି ମୋଟ ୧,୧୭,୫୦୦ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ଖର୍ଚ୍ଚର ଅଧା ଟଙ୍କା ପୈଠ କରିବାକୁ ପାରମାରଙ୍କୁ ହାଇକୋର୍ଟରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।